ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟ୍ୱିଟ : ନୋଟିସ ଜାରି କଲେ ଜାତୀୟ ମହିଳା କମିଶନ

495

କନକ ବ୍ୟୁରୋ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଉଦିତ ରାଜ । ନିକଟରେ ରାଷ୍ଟ୍ରପତି ଗୁଜରାଟ ଗସ୍ତରେ ଯାଇ ସାବରମତୀ ଆଶ୍ରମ ଯିବା ପରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଗୁଜରାଟରେ ଦେଶର ୭୬ପ୍ରତିଶତ ଲୁଣ ପ୍ରସ୍ତୁତ କରାଯାଏ । ଏହା କୁହାଯାଇ ପାରିବ ଯେ ଦେଶବାସୀ ଗୁଜରାଟର ଲୁଣ ଖାଆନ୍ତି ।

ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟକୁ ନେଇ ଆପତିଜନକ ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ନେତା ଉଦିତ ରାଜ । ଟ୍ୱିଟ କରି ଲେଖିଛନ୍ତି, ଏମିତି ରାଷ୍ଟ୍ରପତି ଆଉ କେଉଁ ଦେଶକୁ ନମିଳୁ । ଆନୁଗତ୍ୟର ବି ଗୋଟିଏ ସୀମା ଥାଏ । ଦେଶର ୭୦ପ୍ରତିଶତ ଲୋକ ଲୁଣ ଖାଇ ବଂଚୁଛନ୍ତି, ନିଜେ ଲୁଣ ଖାଇ ଜୀବନ ବିତାଇଲେ ଜଣାପଡିବ ବୋଲି ଲେଖିଛନ୍ତି ଉଦିତ ରାଜ । ଏହାପରେ ସେ ଆଉ ଏକ ଟ୍ୱିଟ କରି ଲେଖିଛନ୍ତି ଏହି ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ଏହା କଂଗ୍ରେସ ଦଳର ମନ୍ତବ୍ୟ ନୁହେଁ । ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିବା ପରେ ଆଦିବାସୀଙ୍କ ନାଁରେ ଭୋଟ୍ ମାଗିଲେ ।

ରାଷ୍ଟ୍ରପତି ବନିଲା ପରେ ସେ କ’ଣ ଆଉ ଆଦିବାସୀ ନାହାନ୍ତି ? ସେ ଦେଶର ରାଷ୍ଟ୍ରପତି ଓ ଆଦିବାସୀଙ୍କ ପ୍ରତିନିଧି । ଦୁଃଖ ଲାଗେ ଯେତେବେଳେ ଆଦିବାସୀଙ୍କ ନାଁରେ ଭୋଟ୍ ମାଗି ଉଚ୍ଚ ପଦକୁ ଗଲା ପରେ ସବୁ ଭୁଲିଯାଆନ୍ତି ବୋଲି ଟ୍ୱିଟ କରି ଲେଖିଛନ୍ତି କଂଗ୍ରେସ ନେତା ଉଦିତ ରାଜ । ଏହି ପ୍ରସଙ୍ଗରେ କଂଗ୍ରେସ ନେତା ଉଦିତ ରାଜଙ୍କୁ ଜାତୀୟ ମହିଳା କମିଶନ ନୋଟିସ୍ ଜାରି କରିଛନ୍ତି । ସେପଟେ ଏହି ପ୍ରସଙ୍ଗରେ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି ।