ହୀରାକୁଦ ଗେଟ୍ ଖୋଲିବାକୁ ଛତିଶଗଡର ଚାପ ପ୍ରସଙ୍ଗ । ବିଜେଡିର ଜବାବ, ପାଣି ଆସି ଘର ବୁଡିଲାଣି ଆଲୋଚନା କଣ କରିବୁ?

803

କନକ ବ୍ୟୁରୋ : ହୀରାକୁଦ ଗେଟ୍ ଖୋଲିବାକୁ ଛତିଶଗଡ ଚାପ ପକାଇବା ଘଟଣାକୁ ନେଇ ମୁହଁ ଖୋଲିଛି ବିଜେଡି । ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପାଣି ଆସି ଘର ବୁଡିଲାଣି, ଆଲୋଚନା କଣ କରିବୁ। ୨୦୧୬ରେ ତତ୍କାଳୀନ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତତ୍କାଳୀନ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ସହ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ସେତେବେଳେ ସହମତିକୁ ଅଣଦେଖା କଲେ ରମଣ ସିଂ। ଶୁଖା ସମୟରେ ପାଣି ମାଗିଲୁ। ସେମାନେ ଦେଲେନି କି ବ୍ୟାରେଜ୍ ନିର୍ମାଣ କାମ ରୋକିଲେନି। ଏବେ ଭୂପେଶ ବାଘେଲ ସରକାର ଆସି ବି କିଛି କଲେନି। ବନ୍ଧ ହେବା ଯୋଗୁ ବନ୍ୟା ସମୟରେ ଛତିଶଗଡ ପାଣି ଛାଡୁଛି।

ସର୍ବୋଚ୍ଚ ଯନ୍ତ୍ରୀ କହିଲେ ଯେ ବର୍ଷକ ଦୁଇ ଥର ବୈଠକ ହେବା କଥା। ହେଲେ ଛତିଶଗଡ ଆସୁନି। ଏହା ନିନ୍ଦନୀୟ କଥା। ଅଫିସର ସ୍ତରୀୟ ଆଲୋଚନା କରନ୍ତୁ ଓ କେତେ ପାଣି ଛାଡିବେ ଜଣାନ୍ତୁ। ଆପୋଷ ଆଲୋଚନା ହିଁ ଆବଶ୍ୟକ। ମହାନଦୀ ବଞ୍ଚିବାକୁ ଯାହା ଦରକାର, କରାଯିବ। ଏଭଳି କହି ଓଡ଼ିଶା ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ।

ଅନ୍ୟପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଛତିଶଗଡ ସରକାର ଗତ ମେ ମାସରେ ମହାନଦୀ ଶୁଖିଲା ପଡ଼ିଥିବାବେଳେ ପାଣି ଛାଡୁ ନଥିଲେ, ତାହାକୁ ଆମେ ନିନ୍ଦା କରୁଥିଲୁ । ଆଜିର ଛତିଶଗଡ ସରକାରର ବ୍ୟବହାରକୁ ଆମେ ନିନ୍ଦା କରୁଛୁ । ରାଜ୍ୟ ସରକାର ଏବଂ ତାଙ୍କ ଜଳସେଚନ ବିଭାଗକୁ ଚେତାବନୀ ଦେଇ ସମୀର କହିଛନ୍ତି, ଘର ପୋଡିବ ମୂଷା କେଞ୍ଚିଏ ପାଇବ ଏ ନୀତି ଅବଲମ୍ବନ କରିବା ଯୋଗୁଁ  ଆମ୍ବାଘନୀ ବ୍ଲକରେ ଯେଉଁ ବନ୍ୟା ଦେଖା ଦେଇଛି ତାର ସମାଧାନ କରନ୍ତୁ । ଓଡିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରି ଶୀଘ୍ର ସମାଧାନ କରନ୍ତୁ। ସମସ୍ୟା ତ ରହିବ, କିନ୍ତୁ ଏହାର ସମାଧାନ କରନ୍ତୁ ମୁଖ୍ୟମନ୍ତ୍ରୀ ।