ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଆଖି ଆଗରେ ରଖି ବିଜେଡିର ଗୋଟି ଚାଳନା । ପ୍ରତି ଜିଲ୍ଲାରେ କ୍ରିକେଟ୍, ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରିବ ଦଳ । ମୟୂରଭଞ୍ଜରୁ ଶୁଭାରମ୍ଭ

153

କନକ ବ୍ୟୁରୋ: ଖେଳ କରିବ ବିଜେଡି । କଥାଟି ଆପଣଙ୍କୁ ରୋଚକ ଲାଗିଥାଇପାରେ । ହେଲେ ଏହା ପଛର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢିଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି, ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବିଶେଷ କରି ଯୁବକ ଓ ଛାତ୍ରଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥବା ଲକ୍ଷ୍ୟ କରାଯାଉଛି । ସେହି ଆଶଙ୍କାରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଭୋଟ ବ୍ୟାଙ୍କ ଉପରେ ଆଖି ପକାଇ ବିରାଟ ରାଜନୈତିକ ଗୋଟି ଚାଳନା କରିଛି ବିଜୁ ଜନତା ଦଳ ।

ଖେଳ ପ୍ରତି ଯୁବକ ଓ ଛାତ୍ର ମାନଙ୍କର ସଂପୃକ୍ତି ଅଧିକ ରହିଛି । ତେଣୁ ବିଜେଡିର ଶୀର୍ଷ ନେତୃତ୍ୱ ନିଷ୍ପତି କରିଛନ୍ତି ଏଣିକି ରାଜନୀତିରେ ପଶିବ ଖେଳ ଅର୍ଥାତ ପ୍ରତି ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଂଟ କରିବ ବିଜୁ ଜନତା ଦଳ । ଜିଲ୍ଲା ସ୍ତରୀୟ ଏହି କ୍ରୀଡା ପ୍ରତିଯୋଗିତାର ଆୟୋଜନ ସରକାର କରିବେ ନାହିଁ ବଂର ଶାସକ ଦଳ କରିବ । ମିଳିଥିବା ସୂଚନା ଅନୁସାରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଂଜ ଜିଲ୍ଲାର ପ୍ରଭାରୀ ଅଛନ୍ତି । ତେଣୁ ମୟୁରଭଂଜ ପ୍ରିମିୟର ଲିଗରୁ ଏହି ପରୀକ୍ଷା ନୀରିକ୍ଷା ଆରମ୍ଭ ହେବ ।

ଏପଟେ ବିଜେଡିର ଏହି ଖେଳ ରାଜନୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ । ପିିସିସି ସଭାପତି କହିଛନ୍ତି , ରାଜ୍ୟରେ ଜିଲ୍ଲା ସ୍ତରୀୟ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସ ଅମଳରେ ପ୍ରୟାସ ଆରମ୍ଭ ହୋଇଥିଲା । ଏବେ ବିଜେଡି ପାଖରେ ପ୍ରଚୁର ପଇସା ଥିବାରୁ ଏହାକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ସେ ଅଭିଯୋଗ ବାଢିଛନ୍ତି । ସେପଟେ ବିଜେପି କହିଛି ନିର୍ବାଚନ ଆସିଲେ ବିଜେଡିର ଯୁବକ ଛାତ୍ରଙ୍କ କଥା ମନେ ପଡେ ।