ତେଲ ଦରରେ ଲାଗିଛି ନିଆଁ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ଆଜି ବିଜେଡିର ପ୍ରତିବାଦ । ରାଜଭବନ ସମ୍ମୁଖରେ ଦେବ ଧାରଣା, ଏକସାଇଜ୍ ଡ୍ୟୁଟି ଛାଡ କରିବାକୁ ଦାବି

47

କନକ ବ୍ୟୁରୋ: ଲଗାତାର ତେଲ ଦର ବୃଦ୍ଧିକୁ ନେଇ ଆଜି ପ୍ରତିବାଦ କରିବ ବିଜୁ ଜନତା ଦଳ । ପେଟୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି । କେନ୍ଦ୍ର ସରକାର ୨୦୧୪ ପରେ ପେଟ୍ରୋଲ ଉପରେ ଏକସାଇଜ୍ ଡ୍ୟୁଟି ୧୧୧ ପ୍ରତିଶତ ବୃଦ୍ଧି କରିଛନ୍ତି ବୋଲି ଅଭିଯୋଗ କରି ପ୍ରତିବାଦ କରିବ ବିଜେଡି । ତେଣୁ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି କମାଇବା ଦାବିରେ ଆନ୍ଦୋଳନ କରିବ ବିଜେଡି । ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ପୁଣି ବୃଦ୍ଧି ପାଇଛି । ମୁମ୍ବାଇରେ ପେଟ୍ରୋଲ ଦାମ ଲିଟର ପିଛା ୯୦ ଟଙ୍କା ୮୪ ପଇସାକୁ ବୃଦ୍ଧି ପାଇଛି ।

ବଢୁଥିବା ତେଲ ଦରକୁ ନେଇ ଆଜି ପୁଣି ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ଆଜି ରାଜଭବନ ସାମ୍ନାରେ ତେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିବ । ଚଳିତ ବର୍ଷ କେନ୍ଦ୍ର ସରକାର ୧୪ ଥର ପେଟ୍ରୋଲ ଓ ଡିଜେଲ୍ ଦର ବଢାଇଥିବା ଅଭିଯୋଗ କରିଛି ବିଜେଡି । ବିଜେଡି କହିଛି ୨୦୧୪ ତୁଳନାରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଏକ୍ସସାଇଜ ଡ୍ୟୁଟି ୧୧୧ ପ୍ରତିଶତ ବଢାଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଡିଜେଲ ମହଙ୍ଗା ହେଉଥିବା କେନ୍ଦ୍ର ସରକାର ଓଲଟା ଯୁକ୍ତି ବାଢୁଥିବା ବିଜେଡି ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କୁ ଦୋଷ ଲଦୁଛନ୍ତି । ଏନେଇ ପୂର୍ବରୁ ବାରମ୍ବାର ବିଜେଡ଼ି ସ୍ୱର ଉତ୍ତେ।ଳନ କରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଚେତା ପଶିନି ।

ବିଜେଡି ଆହୁରୀ ମଧ୍ୟ କହିଛି ଯେ ଉଜ୍ଜଳା ଯୋଜନା ଦ୍ବାରା ରନ୍ଧନ ଗ୍ୟାସ ବଣ୍ଟନ କ୍ଷେତ୍ରରେ ଏକ ବୃହତ ଦୁର୍ନୀତି ସାମ୍ନାକୁ ଆସିଛି । ଏହି ଦୁର୍ନୀତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରୁ ଆରମ୍ଭ ହୋଇଥିବା ବେଳେ ଏହାର ଚେର ଓଡ଼ିଶା ସାରା ମାଡ଼ିଛି ବୋଲି ଜଣାପଡିଲାଣି । ସ୍ଥିତି ଏତେ ଗମ୍ଭୀର ଯେ ଆଇଓସିଏଲ୍ କର୍ତୃପକ୍ଷଙ୍କୁ ବାଧ୍ୟବାଧକତାରେ ସମ୍ମୁଖକୁ ଆସି ଦୁର୍ନୀତି ହୋଇଛି ବୋଲି ସ୍ବୀକାର କରିବାକୁ ପଡିଛି । ଗ୍ୟାସ ଏଜେନ୍ସିକୁ ମଧ୍ୟ ନିଲମ୍ବିତ କରିଥିବା ସେମାନେ ସ୍ବୀକାର କରିଛନ୍ତି । ପେଟ୍ରୋଲ ଓ ଡିଜେଲ ସହ ପେଟ୍ରୋଲିୟମ ପ୍ରଡକ୍ଟକୁ ଜିଏସଟି ପରିସରଭୁକ୍ତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କହି ଆସୁଥିଲେ ସୁଦ୍ଧା ଏଯାବତ୍ ତାହା କରିବାରେ ବିଜେପି ସରକାର ବିଫଳ ରହିଥିବା ବିଜେଡି ଦାବି କରିଛି।