ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ନେଇ ଆରମ୍ଭ ହେଲା ବିତର୍କ : କେଉଁ ଆଧାରରେ ସର୍ବବୃହତ ତାକୁ ନେଇ ପ୍ରଶ୍ନ

311

କନକ ବ୍ୟୁରୋ : ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ୍ ହକି ଷ୍ଟାଡିୟମ୍ ତ ? ଏନେଇ ଆରମ୍ଭ ହୋଇଛି ବିତର୍କ । କେଉଁ ଆଧାରରେ ଏହାକୁ ବିଶ୍ୱର ସର୍ବବୃହତ ବୋଲି କୁହାଯାଉଛି କିଛି ସ୍ପଷ୍ଟ ହୋଇନଥିବାରୁ ତାକୁ ନେଇ ପ୍ରଶ୍ନ ଉଠିଛି । କୌଣସି ଖେଳ ଷ୍ଟାଡିୟମକୁ ଦର୍ଶକଙ୍କ ବସିବା କ୍ଷମତାକୁ ନେଇ ବୃହତ ବୋଲି ଦର୍ଶାଯାଇଥାଏ । ପାକିସ୍ତାନର ଲାହୋରସ୍ଥିତ ନ୍ୟାସନାଲ ହକି ଷ୍ଟାଡିୟମ୍ କ୍ଷମତା ୪୫ ହଜାର । ଭାରତର ଚଣ୍ଡିଗଡ଼ ହକି ଷ୍ଟାଡିୟମ୍ ଦର୍ଶକଙ୍କ କ୍ଷମତା ୩୦ ହଜାର ।

ଆମେରିକାର ଲସ୍ ଏଞ୍ଜଲସ୍ଥିତ ୱେଙ୍ଗର୍ଟ ଷ୍ଟାଡିୟମରେ ୨୨ ହଜାର ୩୫୫ ଦର୍ଶକ ବସିବାର କ୍ଷମତା ରହିଛି । ଏହି ହିସାବରେ ବିର୍ସା ମୁଣ୍ଡା ଷ୍ଟାଡିୟମର କ୍ଷମତା ୨୦ ହଜାର । ଏହାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି । ତେବେ ବିଶିଷ୍ଟ ହକି ସାମ୍ବାଦିକଙ୍କ ମତରେ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ବିଶ୍ୱର ଅନ୍ୟତମ ବୃହତ ଷ୍ଟାଡିୟମ୍ କହିହେବ । କାରଣ ଅନ୍ୟ ଷ୍ଟାଡିୟମ୍ କେବଳ ହକି ପାଇଁ ଉଦ୍ଦିଷ୍ଟ ନୁହେଁ । ସେଗୁଡ଼ିକ ସ୍ପୋର୍ଟସ୍ କଂପ୍ଲେକ୍ସ । ବିର୍ସା ମୁଣ୍ଡା ଷ୍ଟାଡିୟମ୍ କେବଳ ହକି ପାଇଁ ସମର୍ପିତ । ଏହାର ଦର୍ଶକ କ୍ଷମତା ୨୦ ହଜାର ।