ଧର୍ମେନ୍ଦ୍ର ନିତୀଶ ଭେଟ ପରେ ବିହାର ରାଜନୀତିରେ ଝଡ, ଜାଣନ୍ତୁ କାହା ଉପରେ ହେଲା ଆଲୋଚନା

388

କନକ ବ୍ୟୁରୋ : ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ଶାସନ କରୁଛନ୍ତି । ହେଲେ ଜେଡିୟୁ ମୁଖ୍ୟ ନିତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଥିଲେ ବି ବିଜେପି ପାଖରେ ରହିଛନ୍ତି ଅଧିକ ବିଧାୟକ । ଏନେଇ ଏହି ମେଣ୍ଟ ସରକାର ସର୍ବଦା ଚର୍ଚ୍ଚାରେ ରହିଛି । କେତେବେଳେ ବିଜେପି ବିଧାୟକମାନେ ବିଭିନ୍ନ ପ୍ରସଙ୍ଗରେ ନିତୀଶଙ୍କୁ ବିରୋଧ କରୁଛନ୍ତି ତ କେତେବେଳେ କେନ୍ଦ୍ରର ବିିଭିନ୍ନ ନିଷ୍ପତ୍ତିକୁ ନିଜେ ନିତୀଶ ବିରୋଧ କରୁଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ନିତୀଶ କୁମାରଙ୍କ ଭେଟ ପରେ ବିହାର ରାଜନୀତିରେ ଝଡ ସୃଷ୍ଟି ହୋଇଛି ।

ଗୁରୁବାର ଦିନ ସନ୍ଧ୍ୟାରେ ଧର୍ମେନ୍ଦ୍ର ପ୍ରଧାନ ବିହାର ରାଜଧାନୀ ପାଟନାରେ ପହଂଚିଥିଲେ । ଏହି କ୍ରମରେ ନିତୀଶ କୁମାରଙ୍କ ସହ ତାଙ୍କର ଭେଟ ହୋଇଥିଲା । ଏହି ଭେଟରେ ଉଭୟ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ   । ହେଲେ ସେମାନଙ୍କ ଆଲୋଚନା ସରିବା ପରେ ବିହାରରେ ରାଜନୀତି ସରଗରମ ହେବାରେ ଲାଗିଛି । ଏହାର କାରଣ ଭାବେ କୁହାଯାଇଛି କି, କିଛିଦିନ ପୂର୍ବରୁ ନିତୀଶ କୁମାର ଇସାରା ଦେଇଥିଲେ କି ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେବାକୁ ଯାଉଛି । ଏନେଇ ବିଜେପି ନେତାମାନେ କହିଛନ୍ତି କି, ନିତୀଶ ମୁଖ୍ୟମନ୍ତ୍ରୀ ଥିବାରୁ ସେ ଯାହାକୁ ଚାହିଁବେ ତାକୁ ମନ୍ତ୍ରୀପଦ ଦେଇ ପାରିବେ । ସେପଟେ ଉଭୟ ବିଜେପି ଓ ଜେଡିୟୁର ରାଜ୍ୟ ପ୍ରବକ୍ତାମାନେ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ସଫେଇ ଦେଇଛନ୍ତି ।