ଏନଡିଏର ୩ ଓ ମହାମେଣ୍ଟର ଦୁଇ ପ୍ରାର୍ଥୀ ନିଜକୁ ଦେଇପାରିବେ ନାହିଁ ଭୋଟ । ଅନ୍ୟଜଣେ ପ୍ରାର୍ଥୀ ଅନ୍ୟ ଏକ ଆସନର ପ୍ରାର୍ଥୀଙ୍କୁ ଦେବେ ଭୋଟ

148

କନକ ବ୍ୟୁରୋ : ଆଜି ଦେଶର ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଏହି କ୍ରମରେ ବିହାରର ୪ଟି ଲୋକସଭା ପାଇଁ ମଧ୍ୟ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଚାଲିଛି । ବିହାରର ଗୟା, ଔରଙ୍ଗାବାଦ, ନବାଦା ଓ ଜମୁଇ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । ଅଧିକରୁ ଅଧିକ ଭୋଟର କିଭଳି ପୋଲିଂ ବୁଥକୁ ଆସି ମତଦାନ କରିବେ ସେନେଇ ପ୍ରାର୍ଥୀମାନେ ସମସ୍ତ ଶକ୍ତି ଖଟେଇ ଦେଇଛନ୍ତି । ମାତ୍ର ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ ତରଫରୁ ବିଜେପିର ଜଣେ ପ୍ରାର୍ଥୀ, ଲୋକ ଜନଶକ୍ତିର ପାର୍ଟିର ଜଣେ ପ୍ରାର୍ଥୀ ମହାମେଣ୍ଟ ତରଫରୁ ରାଷ୍ଟ୍ରୀୟ ଜନତାଦଳର ୨ ଜଣ ସାଂସଦ ପ୍ରାର୍ଥୀ ନିଜକୁ ଭୋଟ ଦେଇପାରିବେ ନାହିଁ । ଏହି ୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଆଜି ୪ ଜଣ ପ୍ରାର୍ଥୀଙ୍କ ଆସନରେ ଭୋଟ ହେଉଛି ।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ, ଏନଡିଏ ମେଣ୍ଟରୁ ଗୟା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ହେଲେ ମାଞ୍ଝୀ ନିଜେ ଗୟା ଲୋକସଭା ଆସନର ଭୋଟର ନୁହଁନ୍ତି । ଫଳରେ ସେ ଆଜି ନିଜକୁ ଭୋଟ ଦେଇପାରିନାହଁନ୍ତି । ସେହିଭଳି ନାବାଦା ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ବିବେକ ଠାକୁର ମଧ୍ୟ ନିଜକୁ ଭୋଟ ଦେଇପାରିବେ ନାହିଁ । ବିବେକ ଠାକୁର ନିଜେ ପାଟନା ସାହିବ ଲୋକସଭା ଆସନର ଭୋଟର । ଅନ୍ୟପଟେ ଲୋକ ଜନଶକ୍ତିର ପାର୍ଟିର ମୁଖ୍ୟ ଚିରାଗ ପାସୱାନଙ୍କ ଭିଣୋଇ ଅରୁଣ ଭାରତୀ ଜମୁଇ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ହେଲେ ସେ ପାଟଳିପୁତ୍ର ସଂସଦୀୟ କ୍ଷେତ୍ରର ଭୋଟର ହୋଇଥିବାରୁ ଏଠାରେ ସେ ନିଜକୁ ମଧ୍ୟ ଭୋଟ ଦେଇପାରିବେ ନାହିଁ ।

ଆରଜେଡି ତରଫରୁ ଜମୁଇ ଆସନରୁ ପ୍ରାର୍ଥୀ ହୋଇଥିବା ଅର୍ଚ୍ଚନା ରବିଦାସ ମୁଙ୍ଗେର ସଂସଦୀୟ କ୍ଷେତ୍ରର ଭୋଟର ହୋଇଥିବାରୁ ସେ ନିଜକୁ ଭୋଟ ଦେଇପାରିବେ ନାହିଁ । ସେହିଭଳି ଔରଙ୍ଗାବାଦ ଲୋକସଭା ଆସନରୁ ଆରଜେଡି ଟିକେଟରୁ ପ୍ରାର୍ଥୀ ହୋଇଥିବା ଅଭୟ କୁଶୱାହା ମଧ୍ୟ ନିଜକୁ ଭୋଟ ଦେଇପାରିବେ ନାହିଁ । କାରଣ ସେ ଗୟା ଲୋକସଭା ଆସନର ଭୋଟର ।