ଡାକ୍ତରୀ ସେବା ସହ କରିବେ ରାଜନୀତି : ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଝିଅ ଲଢିବେ ପଞ୍ଚାୟତ ନିର୍ବାଚନ

ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ କଂଗ୍ରେସରୁ ଦାଖଲ କଲେ ପ୍ରାର୍ଥୀପତ୍ର

373

କନକ ବ୍ୟୁରୋ : ଡାକ୍ତରୀ ପେଶାରୁ ରାଜନୀତି । ପୂର୍ବତନ ବିଧାୟକ ଭୁଜବଳ ମାଝିଙ୍କ ଝିଅ ଡକ୍ଟର ଲିପିକା ମାଝି ଲଢିବେ ପଞ୍ଚାୟତ ନିର୍ବାଚନ । ଲିପିକା ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଜୋନ-୨ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଲିପିକା ପେଶାରେ ଜଣେ ଡାକ୍ତର । ସେ ଦନ୍ତ ଓ ଗଳା ଚିକିତ୍ସା କରୁଛନ୍ତି । ଭୁବନେଶ୍ୱରର ଏକ କ୍ଲିନିକରେ ସେ ରୋଗୀ ସେବା କରୁଛନ୍ତି ।

ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ପାପଡାହାଣ୍ଡି ଯୋନ ୨ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନିଜ ରାଜନୈତିକ କ୍ୟାରିଆର ଆରମ୍ଭ କରିଛନ୍ତି ଲିପିକା । ପିଲାଟି ଦିନରୁ ବିଧାୟକ ବାପା ଭୁଜବଳଙ୍କ ଲୋକ ସେବାକୁ ଅତି ନିକଟରୁ ଦେଖିଥିବା ଲିପିକାଙ୍କୁ ମଧ୍ୟ ଲୋକ ସେବା କରିବାକୁ ଆକୃଷ୍ଟ କରିଥିବା କହିଛନ୍ତି ଲିପିକା । ଡକ୍ଟର ପାଠ୍ୟକ୍ରମ ସାରି ରୋଗୀଙ୍କ ସେବା କରୁଥିବା ବେଳେ ବର୍ତ୍ତମାନ ରାଜନୀତିରେ ପାଦ ଦେଇ ମଧ୍ୟ ଲୋକଙ୍କ ସେବା କରି ନିଜ ପିଲାଟି ଦିନର ଅଭିଳାଷକୁ ପୂରଣ କରିବେ ବୋଲି ଲିପିକା ପ୍ରକାଶ କରିଛନ୍ତି ।

ରାଜନୀତିରେ ପାଦ ଦେଇଥିଲେ ମଧ୍ୟ ନିଜ ରୋଗୀ ସେବା ବୃତ୍ତି ଜାରି ରଖିବେ ବୋଲି ଲିପିକା କହିଛନ୍ତି । ସେ ସ୍ୱାସ୍ଥ୍ୟ ସେବାରେ ଥିବାରୁ ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଜାରି ରଖିବେ । ସ୍ୱାସ୍ଥ୍ୟ ସେବାକୁ ନିଜ ନିର୍ବାଚନୀ ମୁଦ୍ଦା ଭାବେ ଗ୍ରହଣ କରି ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି ଲିପିକା । ରାଜନୀତିରେ ପାଦ ଦେବା ପାଇଁ ପିତା ଭୁଜବଳଙ୍କ ସମର୍ଥନ ଥିବା ରହିଛି । ବର୍ତ୍ତମାନ ସମୟରେ ଜିଲ୍ଲାରେ କଂଗ୍ରେସ ଦଳର ଅଧୋପତନ ହୋଇଥିବା ବେଳେ ଏହି ସମୟରେ ନିଜେଳ ଡକ୍ଟର ବୃତ୍ତି ସହ କଂଗ୍ରେସର ଉଥାନ ପାଇଁ ରାଜନୀତିରେ ସାମିଲ ହୋଇଥିବା ସେ କହିଛନ୍ତି ।

ପ୍ରଦୀପ ମାଝୀଙ୍କ ପରେ ଦଳରେ ଯେଉଁ କ୍ଷତି ହୋଇଥିଲା ଏହା କଂଗ୍ରେସର ଏକ ମାଷ୍ଟରଷ୍ଟ୍ରୋକ ବୋଲି ଚର୍ଚ୍ଚା ହେଉଛି । ଅନେକ ନେତା କଂଗ୍ରେସ ତ୍ୟାଗ କରୁଥିବା ବେଳେ ପ୍ରକୃତ କଂଗ୍ରେସ ପ୍ରେମୀମାନେ ଦଳକୁ ରକ୍ଷା କରିବା ପାଇଁ ଆଗେଇ ଆସିଥିବା ପ୍ରକାଶ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି । ଜିଲ୍ଲାରେ କଂଗ୍ରେସର ଅଧୋପତନ ସମୟରେ ଭୁଜବଳଙ୍କ କାନ୍ଧରେ କଂଗ୍ରେସ ସଂଗଠନର ଭାର ଥିବା ବେଳେ ଏଥିରେ ବାପାଙ୍କ ଲଢେଇ ସହ ଜଡିତ ହୋଇ ନିଜେ ମଧ୍ୟ ଏହି ଲଢେଇରେ ସାମିଲ ହୋଇଛନ୍ତି ।