ଶେଷ ହେଲା ଭାରତ ଯୋଡ଼ ଯାତ୍ରା। ଶ୍ରୀନଗର ଲାଲଚୈାକରେ ଉଡ଼ିଲା ତ୍ରିରଙ୍ଗା

562

କନକ ବ୍ୟୁରୋ: ଅନେକ ଆଶା, ଉଦ୍ଦେଶ୍ୟକୁ ନେଇ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରା ଶେଷ ହୋଇଛି । ସୋମବାର ୩୦ ଜାନୁଆରୀରେ ଶେଷ ହୋଇଛି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା । ତେବେ ସେପ୍ଟେମ୍ବର ୭ରେ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୩୦ ଜାନୁଆରୀରେ ଶ୍ରୀନଗରରେ ସମାପ୍ତ ହୋଇଛି । ଆଉ ଏଥିପାଇଁ ୨୯ ଜାନୁଆରୀରେ ଶ୍ରୀନଗରର ଲାଲଚୈାକ ଠାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତ୍ରିରଙ୍ଗା ଉଡ଼ାଇଛନ୍ତି । ୧୪୫ ଦିନରେ ୧୨ଟି ରାଜ୍ୟ ,୨ କେନ୍ଦ୍ରଶାସିତ ଦେଇ ପ୍ରାୟ ୪ ହଜାର କିଲୋମିଟରରୁ ଅଧିକ ବାଟ ଗତି କରିଛି ଭାରତ ଯୋଡ଼ ଯାତ୍ରା । ଅନ୍ୟପଟେ ୧୨ ଜନସଭା, ୧୦୦ରୁ ଅଧିକ ବୈଠକ, ୧୩ ସାମ୍ବାଦିକ ସମ୍ମିଳନୀ ସମ୍ବୋଧନ କରିଛନ୍ତି । ଏହି ଯାତ୍ରାର ଶେଷ ପରେ ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀ କହିଛନ୍ତି, ତାଙ୍କୁ ବହୁତ କିଛି ଶିଖିବାକୁ ଓ ଜାଣିବାକୁ ମିଳିଲା । ଯାତ୍ରାର ଉଦ୍ଦେଶ୍ୟ ଭାରତକୁ ଏକଜୁଟ କରିବାର ଥିଲା । ତେବେ ଏଥିରୁ ଏତେ ଭଲପାଇବା ମିଳିବ ବୋଲି ଆଶା କରିନଥିଲେ ରାହୁଲ ।

ଭାରତ ଯୋଡ଼ ଯାତ୍ରାର ଅନ୍ତିମ ଦିନରେ ରାହୁଲଗାନ୍ଧୀ ନିଜ ଅଭିଭାଷଣରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ଭାରତ ଯୋଡ଼ ଯାତ୍ରାର ଅନ୍ତିମ ଦିନରେ ଶେର-ଇ-କାଶ୍ମୀର କ୍ରିକେଟ ଷ୍ଟାଡ଼ିୟମରେ ହୋଇଥିବା ଏକ ରାଲିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପ୍ରିୟଙ୍କା ଗାନ୍ଧୀ, ପିଡ଼ିପିର ମହବୁବା ମୁଫତି, ଏନସିର ଓମାର ଅବଦୁଲା ସାମିଲ ହୋଇଛନ୍ତି । ଅନ୍ୟପଟେ ଏଥିରେ କେତେକ ବିରୋଧୀ ଦଳ ଯୋଗ ଦେଇ ନାହାନ୍ତି । ଯେଉଁ ରାଜନୀତି ଭାଙ୍ଗିଥାଏ, ସେହି ରାଜନୀତିରେ ଭଲ ହୋଇନଥାଏ । ଭାରତ ଯୋଡ଼ ଯାତ୍ରା ଏକ ଆଧ୍ୟାତ୍ମିକ ଯାତ୍ରା ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଗୋଡ଼ସେଙ୍କ ଚିନ୍ତାଧାରାରେ ଜାମ୍ମୁ କଶ୍ମୀର ଯାହା ହରାଇଛି ତାହା ଏବେ ପୁଣି ଫେରିଆସିବ । ଏବଂ ରାହୁଲ ଗାନ୍ଧୀଙ୍କ ଠାରେ ଜମ୍ମୁ କଶ୍ମୀରର ଆଶାର କିରଣ ଦେଖାଯାଇଛି । ଦୀର୍ଘଦିନ ପରେ ଶେଷରେ ସମାପ୍ତ ହୋଇଛି କଂଗ୍ରେସର ଭାରତଯୋଡ଼ ଯାତ୍ରା । ତେବେ ଏହି ଭାରତଯୋଡ଼ ଯାତ୍ରାର ପ୍ରଭାବ ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଜଣାପଡ଼ିବ ।