ପେଟ ପାଇଁ ପାନ ଚାଷରେ ହାତ ଦେଇଥିବା ଚାଷୀଙ୍କ ଦୁଃଖ ! ସରକାର ଦେଉ ନାହାନ୍ତି ପ୍ରୋତ୍ସାହନ, ବଜାର ଦରରୁ କମ ମୂଲ୍ୟରେ ବିକ୍ରି ହେଉଛି ଉତ୍ପାଦନ

27

କନକ ବ୍ୟୁରୋ : ଓଡିଶାର ପାନ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ପାନ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ କିମ୍ବା ବ୍ୟାଙ୍କ ରୁଣ ଜରିଆରେ ଆର୍ଥିକ ସହୟତା ମିଳୁନଥିବାରୁ ସେମାନେ ହତାଶ ହୋଇପଡିଛନ୍ତି । ଓଡିଶାର ପାନ ପତ୍ର ନେଇ ବାହାରେ ଚଢା ଦରରେ ବିକି ଦଲାଲ ମାଲାମାଲ ହେଉଛନ୍ତି । ଆଉ ଏପଟେ ଅଭାବୀ ବିକ୍ରି ଯୋଗୁଁ ପାନ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।

ଉପକୂଳ ଓଡିଶାରେ ପାନର ଅଭାବୀ ବିକ୍ରି ଚାଷୀଙ୍କୁ ଅଡୁଆରେ ପକାଇଛି । ବରଜ ବାବଦକୁ ହେଉଥିବା ଖର୍ଚ୍ଚ ଅନୁସାରେ ରୋଜଗାର ହେଉନଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଯାହା ଫଳରେ ବଜାରରେ ପାନ ବିକ୍ରି କରି ଗୁଜୁରାଣ ମେଂଟାଇବା ଚାଷୀଙ୍କ ପାଇଁ କଷ୍ଟ ହୋଇ ପଡିଛି । ରାଜ୍ୟ ଓ ରାଜ୍ୟ ବାହାରେ ପାନର ଚାହିଦା ରହିଛି । ତେଣୁ କମ ଦାମରେ ଓଡିଶାରୁ ପାନ ନେଇ ବାହାର ରାଜ୍ୟରେ ବିକି ବେପାରୀ ମାଲାମାଲ ହେଉଛନ୍ତି, ହେଲେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।

ଓଡିଶାର କଟକ, ପୁରୀ, ଓ ଜଗତସିଂହପୁର ଜିଲ୍ଲାର ଶହ ଶହ ପାନ ଚାଷୀ ବଜାରରେ ପାନ ବିକି ପରିବାର ଚଲାଉଛନ୍ତି । ହେଲେ ପାନର ଅଭାବି ବିକ୍ରି ଚାଷୀଙ୍କୁ ହରଡ ଘଣାରେ ପକାଇଛି । ଶୀତ ଦିନେ ପାନ ଲଟାରେ ପତ୍ର ଭଲ ବଢୁନଥିବା ବେଳେ ଅଧିକ ପରିମାଣର ସାର, ଔଷଧ ଦେବାକୁ ପଡୁଛି । ହେଲେ ବ୍ୟୟ ଅନୁସାରେ ଆୟ ହେଉନଥିବାରୁ ଚାଷୀ ହତାଶ ହୋଇପଡିଛନ୍ତି । ପାନ ଚାଷୀଙ୍କୁ ସରକାରୀ ପ୍ରୋତ୍ସାହନ କିମ୍ବା ବ୍ୟାଙ୍କ ରୁଣ ଜରିଆରେ ଆର୍ଥିକ ସହୟତା ମିଳୁନାହିଁ । ତେଣୁ ପାନ ଚାଷୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ସରକାର ପାନର ଅଭାବି ବିକ୍ରି ସମସ୍ୟାର ସମଧାନ କରିବାକୁ ଦାବି ହୋଇଛି ।