ଶିକ୍ଷକଙ୍କୁ ଡରାଇବାକୁ ଚାହୁଁଛନ୍ତି କି ସରକାର । ଭିତିରିଆ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରୁଛି ଶିକ୍ଷା ବିଭାଗ ।

290

କନକ ବ୍ୟୁରୋ: ଭୁବନେଶ୍ୱରରେ ଆନ୍ଦୋଳନ, ଫୁଲବାଣୀରେ ପ୍ରସ୍ତୁତ ହେଉଛି ତାଲିକା । ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରିବାର ଚିଠି ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚିଠିରେ କୁହାଯାଇଛି ଶିକ୍ଷକଙ୍କୁ ଏକା ସମୟରେ ଏତେ ଲମ୍ବା ଛୁଟି ମିଳିପାରିବ ନାହିଁ ବୋଲି ସ୍ଥାନୀୟ ବ୍ଲକ୍ ଶିକ୍ଷା ଅଧିକାରୀ ଚିଠିରେ ଲେଖିଛନ୍ତି । ଭିତିରିଆ ଭାବେ ସବୁ ଜିଲ୍ଲା ଅଧିକାରୀମାନଙ୍କୁ ଏଭଳି ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିବା ଚର୍ଚ୍ଚା ହେଉଛି ।

  • ଶିକ୍ଷକଙ୍କୁ ସରକାରଙ୍କ ନାଲିଆଖି!
  • ଛୁଟି ନେଇଥିବା ଶିକ୍ଷକଙ୍କ ତାଲିକା ମାଗିଲେ ବିଇଓ

ଫୁଲବାଣୀ ବ୍ଲକ ଶିକ୍ଷା ଅଧିକାରୀଙ୍କ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଭୁବନେଶ୍ୱରରେ ଶିକ୍ଷକଙ୍କ ଆନ୍ଦୋଳନବେଳେ କେଉଁମାନେ ସବୁ ଛୁଟିରେ ଥିଲେ ତାର ତାଲିକା କ୍ଲଷ୍ଟର ରିସୋର୍ସ ସଂଯୋଜକ ବା ସିଆରସିସିକୁ ମାଗିଛନ୍ତି ବିଇଓ । ଚିଠିରେ ଲେଖାଯାଇଛି

  • ୨୮ରୁ ୩୦ ନଭେମ୍ବର ମଧ୍ୟରେ ଯେଉଁମାନେ ଛୁଟିରେ ଥିଲେ ସେମାନଙ୍କ ତାଲିକା ଦିଆଯାଉ
  • ଦରମା ରିଲିଜ ପୂର୍ବରୁ ତାଲିକା ପ୍ରସ୍ତୁତ କରାଯାଉ

ଏତେ ସଂଖ୍ୟକ ଛୁଟିକୁ ଏକକାଳୀନ ଅନୁମତି ଦିଆଯାଇପାରିବ ନାହିଁ । ଡିସେମ୍ବର ପହିଲାର ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲ।।

ସୋସିଆଲ ମିଡିଆରେ ଏଭଳି ଚିଠି ଭାଇରାଲ ହେବା ପରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ସଂଘର ସଦସ୍ୟ କହିଛନ୍ତି, ସରକାର ଆଲୋଚନା ପାଇଁ କମିଟି ଗଢିଥିବାବେଳେ ଏଭଳି ପଦ କ୍ଷେପ ଆଦୌ ଗ୍ରହଣୀୟ ନୁହେଁ । ଏଭଳି ହେଲେ ପୁଣି ଥରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ ।

  • ବିବାଦ ପରେ ସ୍ପଷ୍ଟୀକରଣ
  • ଫୁଲବାଣୀ ବିିଇଓ ଦେଲେ ସଫେଇ

ସୋସିଆଲ ମିଡିଆରେ ଚିଠି ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଫୁଲବାଣୀ ବିଇଓ । ସେ କହିଛନ୍ତି, ଦରମା ପୂର୍ବରୁ ଶିକ୍ଷକଙ୍କ କେତେ ଛୁଟି ରହିଛି ସେ ସମ୍ପର୍କରେ ଜାଣିବାକୁ ସେ ସିଆରସିସିଙ୍କୁ ଚିଠି ଲେଖିଥିଲେ । ତେବେ କେବଳ ଫୁଲବାଣୀର ବିଇଓଙ୍କ ଚିଠି ଭାଇରାଲ ହୋଇଥିଲା ତା ନୁହେଁ, ଶିକ୍ଷକ ମହଲରେ ଚର୍ଚ୍ଚା ହେଉଛି, ଗଣଶିକ୍ଷା ବିଭାଗ ପକ୍ଷରୁ ଭିତିରିଆ ଭାବେ ସବୁ ଜିଲ୍ଲାର ଅଧିକାରୀଙ୍କୁ ଅନୁପସ୍ଥିତ ଥିବା ଶିକ୍ଷକଙ୍କ ତାଲିକା ମଗାଯାଇଛି । ତେବେ ଏହାରି ଭିତରେ ଶିକ୍ଷକଙ୍କ ଦାବୀ ପୂରଣ ପାଇଁ ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ବୈଠକ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକର ନିଷ୍କର୍ସ ଉପରେ ସମସ୍ତଙ୍କ ନଜର ରହିଛି ।