ଆଉ ୧୫ ଦିନ ପରେ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା! ଡିସେମ୍ବର ୨୩ରୁ ଜାନୁଆରୀ ୨ ଯାଏ କମ୍ପିବ ବରଗଡ

95

କନକ ବ୍ୟୁରୋ : ଆଉ ୧୫ ଦିନ ପରେ କମ୍ପିବ ବରଗଡ । ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ମୁକ୍ତାକାଶ ରଙ୍ଗମଂଚରେ ଜୀବନ୍ତ ଅଭିନୟ ପାଇଁ ଯୋରସୋରରେ ଅଭ୍ୟାସ କରୁଛନ୍ତି କଳାକାର । ଡିସେମ୍ବର ୨୩ରୁ ଜାନୁଆରୀ ୨ ଯାଏ ବରଗଡରେ ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟ ।

୬୯ ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ମାତ୍ର ୧୫ ଦିନ ବାକି । ଦିନ ଯେତିକି ପାଖଉଛି, ପ୍ରସ୍ତୁତି ସେତେ ଯୋରଦାର ହେଉଛି । ମୁକ୍ତାକାଶ ରଙ୍ଗମଂଚରେ ଅଭିନୟର ଯାଦୁ ଦେଖାଇବା ପାଇଁ ଯୋରସୋରରେ ଅଭ୍ୟାସ ଚଳାଇଛନ୍ତି କଳାକାର । ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ କଳାକାରମାନେ ଅଭିନୟକୁ ଜୀବନ୍ତ କରିବାକୁ ଅଭ୍ୟାସ କରୁଛନ୍ତି । କଳାକାରର ପ୍ରତିଟି ଦୃଶ୍ୟ ଓ ସଂଳାପ ଯେମିତି ଦର୍ଶକଙ୍କୁ ଆକର୍ଷିତ କରିବ ସେ ନେଇ ଗୁରୁତ୍ୱ ଦିଆଯାଉଛି ।

ଚଳିତମାସ ୨୩ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବରଗଡ ଧନୁଯାତ୍ରା ଅନୁଷ୍ଠିତ ହେବ । ମହାଭାରତ, ହରିବଂଶ ଓ ମଥୁରା ମଙ୍ଗଳ ପରି ମହାପୁରାଣ କଥାବସ୍ତୁକୁ ନେଇ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ମାଧ୍ୟମରେ ନିଜ ନିଜର ଅଭିନୟକୁ ବିଶ୍ୱଦରବାରରେ ପରିଚିତ କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି କଳାକାର । ବରଗଡ ଧନୁଯାତ୍ରା ଦିନକୁ ଦିନ ବିଶ୍ୱଦରବାରରେ ପ୍ରସିଦ୍ଧି ଲାଭ କରୁଥିବା ବେଳେ ଚଳିତବର୍ଷ ମଧୁରାରେ ଶୁଭିବ ନୂଆ କଂସ ଭୁବନେଶ୍ୱର ପ୍ରଧାନଙ୍କ ଅଟ୍ଟହାସ୍ୟ ।