୩୧ ମାର୍ଚ୍ଚ ରବିବାର ବ୍ୟାଙ୍କ ଖୋଲା । ରିଜର୍ଭ ବ୍ୟାଙ୍କ ଜାରି କଲା ନିର୍ଦ୍ଦେଶନାମା ।

109

କନକ ବ୍ୟୁରୋ: ଚଳିତ ମାସର ଶେଷ ୩୧ ତାରିଖ ଅର୍ଥାତ ରବିବାରଦିନ ବି ଖୋଲା ରହିବ ସମସ୍ତ ବ୍ୟାଙ୍କ । ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି ଏହି ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ।

ଏଥିରେ କୁହାଯାଇଛି, ୩୧ ମାର୍ଚ, ୨୦୨୪ ରବିବାର ହୋଇଥିବା ସତ୍ୱେ ସମସ୍ତ ବ୍ୟାଙ୍କ ଖୋଲା ରହିବ । ମାର୍ଚ୍ଚ ୩୧ ତାରିଖ, ୨୦୨୩-୨୪ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ସମସ୍ତ ବ୍ୟାଙ୍କକୁ ପଠାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି, ଆର୍ଥିକ ବର୍ଷର ଶେଷ ଦିନରେ ହୋଇଥିବା କାରବାରର ଏଂଟ୍ରି ସେହି ଆର୍ଥିକ ବର୍ଷରେ ହେବା ଦରକାର । ଏଥିପାଇଁ ସମସ୍ତେ ବ୍ୟାଙ୍କ ଖୋଲା ରହିବ । ବ୍ୟାଙ୍କ ନିର୍ଦ୍ଧାରିତ ସମୟ ଅନୁସାରେ ଖୋଲିବ ଓ ବନ୍ଦ ହେବ । ଶନିବାର ବି ସମସ୍ତ ବ୍ୟାଙ୍କ ଖୋଲା ରହିବ । କିନ୍ତୁ ସେୟାର ମାର୍କେଟ ବନ୍ଦ ରହିବ ।

ଏହାପୂର୍ବରୁ ଆୟକର ବିଭାଗ ବି ରବିବାର ଏହାର ସମସ୍ତ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିଲା । ବିଭାଗ ଗୁଡ ଫ୍ରାଇଡେ ଛୁଟି ସମେତ ଶନିବାର ଓ ରବିବାରର ଛୁଟିକୁ ବାତିଲ କରିଦେଇଥିଲା । ୨୯ ତାରିଖ ଗୁଡ ଫ୍ରାଇଡେ ହୋଇଥିବାବେଳେ, ୩୦ ମାର୍ଚ୍ଚ ଶେଷ ଶନିବାର ଓ ୩୧ ମାର୍ଚ୍ଚ ରବିବାର ପଡୁଥିବାରୁ ୩ଦିନ ଛୁଟି ପଡୁଛି ।