ବୈପାରୀଗୁଡାରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଆଦିବାସୀ ଜମାକାରୀଙ୍କ ଟଙ୍କା ହଡପ କରି ଅନଲାଇନ୍ ଗେମ୍ ଖେଳୁଥିଲେ ବ୍ୟାଙ୍କ କର୍ମଚାରୀ

154

କନକ ବ୍ୟୁରୋ: ବଡ଼ ଧରଣର ବ୍ୟାଙ୍କ ଠକେଇ । ଆଉ ଠକେଇ ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ଖୋଦ୍ ବ୍ୟାଙ୍କ କର୍ମଚାରୀ । ନିରିହ ଆଦିବାସୀଙ୍କ ଜମା ଟଙ୍କାକୁ ନେଇ ଅନଲାଇନରେ ଗେମ୍ ଖେଳୁଥିଲେ । କେତେବେଳେ କ୍ରିକେଟରେ ସଟାବାଜି ତ ଆଉ କେତେବେଳେ କସିନୋ ଖେଳ, ଅନେକ ଭିଡ଼ିଓ ଗେମରେ ଲଗାଉଥିଲେ ଟଙ୍କା । ଖେଳରେ ହାରିଗଲା ପରେ ପଦାରେ ପଡ଼ିଲା ବ୍ୟାଙ୍କ ଠକେଇ କାରନାମା । ୮୦ ଲକ୍ଷ ଟଙ୍କା ଠକେଇ ଘଟଣାରେ ବ୍ୟାଙ୍କ ଆକାଉଁଟାଂଟକୁ ପୁଲିସ ଗିରଫ କରିବା ପରେ ପୁରା ଘଟଣା ଉପରୁ ପର୍ଦ୍ଦା ହଟିଛି । ଏମିତି ଠକେଇ ହୋଇଛି କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର ଇଣ୍ଡିଆନ ଓଭରସିସ ବ୍ୟାଙ୍କରେ ।

ବ୍ୟାଙ୍କରୁ ୮୦ ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ବ୍ୟାଙ୍କ ଶାଖା ପରିଚଳାକ ପ୍ରବୀର କୁମାର ପ୍ରଧାନ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଆଇଓବି ବ୍ୟାଙ୍କ ଶାଖାର ଆକାଉଂଟଟେଣ୍ଡ ସନ୍ତୋଷ କୁମାର ଦୋରା ୮୦ ଲକ୍ଷ ଟଙ୍କା ହଡପ କରିଥିବା ସ୍ୱିକାର ମଧ୍ୟ କରିଛନ୍ତି । ବ୍ୟାଙ୍କ ଶାଖା ପରିଚାଳକ ମାସେ ପାଇଁ ଛୁଟିରେ ଥିବାବେଳେ ହିତାଧିକାରୀଙ୍କ ଜମାଖାତାରୁ ଟଙ୍କା ହେରଫେର କରିଥିଲେ ଆକାଉଂଟାଂଟ ସନ୍ତୋଷ କୁମାର ଦୋରା । ବ୍ରାଂଚ ମ୍ୟାନେଜର ଛୁଟିରୁ ଫେରିବା ପରେ ଟଙ୍କା ହେରଫେର ବାବଦରେ ଜାଣିବାକୁ ପାଇଥିଲେ । ଅଭିଯୋଗକୁ ଆଧାର କରି ବାଲିଗୁଡା ପୋଲିସ ଆକାଉଂଟାଂଟ ସନ୍ତୋଷ ଦୋରାଙ୍କୁ ଗିରଫ କରିଛି । ତେବେ ବ୍ୟାଙ୍କରେ ଠକେଇ ଖବର ଜଣାପଡିବା ପରେ ଜମାକାରୀମାନେ ନିଜ ଜମାଟଙ୍କା ଉଠାଇ ନେଉଛନ୍ତି ।