ଆଇପିଏଲ କଲା କିମିଆ । ବର୍ଡରରେ ଲୁଚି ଛପି ଭାରତରେ ପଶିଲେ ବାଂଲାଦେଶୀ ଯୁବକ, ଜାଣନ୍ତୁ ତା ପରେ କଣ ହେଲା ।

205

କନକ ବ୍ୟୁରୋ : କ୍ରିକେଟର କ୍ରେଜ କେବଳ ଭାରତ କାହିଁକି ପୂରା ବିଶ୍ୱବ୍ୟାପୀ ରହିଛି । ଆଉ ବିଶ୍ୱସ୍ତରରେ ଆଇପିଏଲର କ୍ରେଜ ମଧ୍ୟ ଯଥେଷ୍ଟ ଅଧିକ । ଯେହେତୁ ବିଭିନ୍ନ ଦେଶର ଖେଳାଳୀ ଏଥିରେ ଖେଳୁଛନ୍ତି ତେଣୁ ବିଶ୍ୱ କ୍ରିକେଟରେ ଆଇପିଏଲର ଏକ ସ୍ୱତନ୍ତ୍ର ଫ୍ୟାନ ବେସ ରହିଛି । ଆଇପିଏଲ ମ୍ୟାଚକୁ ଘରେ ଟିଭିରେ ବସି ଦେଖିବା ଅପେକ୍ଷା ଷ୍ଟାଡିୟମରେ ଦେଖିବାକୁ କ୍ରିକେଟପ୍ରେମୀଙ୍କ ଇଚ୍ଛା । ଆଉ ସେହିଭଳି ଜଣେ କ୍ରିକେଟ ପ୍ରଂଶସକ ମହମ୍ମଦ ଇବ୍ରାହିମ ସୀମା ସରହଦ ପାର କରି ବାଂଲାଦେଶରୁ ଭାରତ ଆସିଛନ୍ତି କେବଳ ଆଇପିଏଲ ଦେଖିବା ପାଇଁ । ଏମିତି ଅନେକ ପ୍ରଂଶସକ ରହିଛନ୍ତି କିନ୍ତୁ ଇବ୍ରାହିମଙ୍କୁ ନେଇ ଚର୍ଚ୍ଚା ଏଥିପାଇଁ ବଢିଛି କାରଣ ଇବ୍ରାହିମ ଆଇପିଏଲ ମ୍ୟାଚ୍ ଦେଖିବାକୁ ଲୁଚି ଛପି ବର୍ଡର ପାର କରି ଭାରତକୁ ଆସିଛନ୍ତି । କିନ୍ତୁ ଷ୍ଟାଡିୟମରେ ପହଞ୍ଚିବା ପୂର୍ବରୁ ବିଏସଏଫ ହାବୁଡରେ ପଡିଛନ୍ତି ଇବ୍ରାହିମ୍ ।

ମିଳିଥିବା ସୂଚନା ମୁତାବକ, ମହମ୍ମଦ ଇବ୍ରାହିମ ବାଂଲାଦେଶର ନାରାୟଣଗଞ୍ଜ ଜିଲ୍ଲାର ପୂର୍ବ ଚନ୍ଦ୍ରପୁର ଅଞ୍ଚଳର ନିବାସୀ । ଭାରତରେ ପଶିବା ପରେ ତାଙ୍କୁ ପଶ୍ଚିମ ବଙ୍ଗ ସୀମାରୁ ଧରିଥିଲା ବିଏସଏଫ । ସମସ୍ତ ଯାଞ୍ଚ ପରେ ଇବ୍ରାହିମଙ୍କୁ ବାଂଲାଦେଶ ବର୍ଡରରେ ଶାନ୍ତିପୂର୍ବକ ଛାଡି ଦିଆଯାଇଥିଲା ।

ବିଏସଏଫର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଇବ୍ରାହିମଙ୍କୁ ପଚରାଉଚରା କଲା ବେଳେ ଜଣାପଡିଥିଲା ଯେ, ସେ ଜଣେ କ୍ରିକେଟପ୍ରେମୀ । ଭାରତରେ ପହଞ୍ଚିବା ପରେ ସେ ମୁମ୍ବାଇ ଯିବାକୁ ସ୍ଥିର କରିଥିଲା ।ଆଉ ମୁମ୍ବାଇରେ ଆଇପିଏଲ ମ୍ୟାଚ୍ ଦେଖିଥାନ୍ତା । ଏପରିକି ଅର୍ନ୍ତଜାତୀୟ ସୀମା ପାର କରାଇଦେବାକୁ ଜଣେ ଦଲାଲଙ୍କୁ ସେ ୫ ହଜାର ଟାକା ଦେଇଥିଲେ । ଚଳିତ ମାର୍ଚ୍ଚ ୨୬ରୁ ଆଇପିଏଲର ୧୫ତମ ସଂସ୍କରଣ ଆରମ୍ଭ ହୋଇଛି । ଚଳିତଥର ୧୦ଟି ଟିମ୍ ଭାଗ ନେଇଥିବା ବେଳେ ଲିଗ୍ ପର୍ଯ୍ୟାୟର ମ୍ୟାଚ୍ ଗୁଡିକ ମୁମ୍ବାଇ ଓ ପୁଣେରେ ଖେଳାଯାଉଛି ।