ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ତୈଳ ସଂକଟ, ଗୋଟିଏ ଥରରେ ୫୦% ରୁ ଅଧିକ ବଢିଲା ପେଟ୍ରୋଲ ଦାମ

301

କନକ ବ୍ୟୁରୋ : ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଦେଖିବାକୁ ମିଳିଛି ଆର୍ଥିକ ସଂକଟ । ଏଠାରେ ସରକାରୀ ରାଜକୋଷ ଦିନକୁ ଦିନ ସରି ଆସୁଥିବା ବେଳେ ବୈଦେଶିକ ଋଣଭାର ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବାଂଲାଦେଶ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଗତକାଲି ବାଂଲାଦେଶ ସରକାର ଦେଶରେ ପେଟ୍ରୋଲ ଦାମକୁ ଗୋଟିଏ ଥରରେ ୫୧.୭ ପ୍ରତିଶତ ବୃଦ୍ଧି କରିଛନ୍ତି । କେବଳ ପେଟ୍ରୋଲ ନୁହେଁ ଡିଜେଲର ଦାମ ବି ୪୨ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହାପରେ ଦେଶରେ ପତ୍ୟେକ ସାମଗ୍ରୀର ମୂଲ୍ୟବୃଦ୍ଧି ଆରମ୍ଭ ହୋଇଯାଇଛି । କୁହାଯାଉଛି କି ଇନ୍ଧନର ମୂଲ୍ୟ ବୃଦ୍ଧି ଫଳରେ ବାଂଲାଦେଶର ସରକାରଙ୍କ ଉପରେ ରିହାତି ବୋଝ କମିବ ବୋଲି ଆଶଂକା କରାଯାଉଛି ।

ସେପଟେ ମହଙ୍ଗାମାଡରୁ ମୁକ୍ତି ପାଇବାକୁ ବାଂଲାଦେଶ ସରକାର ଆଇଏମଏଫ ସମେତ ଅନେକ ଅର୍ନ୍ତରାଷ୍ଟ୍ରୀୟ ସଂସ୍ଥାଙ୍କ ଠାରୁ ଋଣ ନେଇଛି । ସେପଟେ ସାରା ବିଶ୍ୱରେ ଦରବୃଦ୍ଧି ଫଳରେ ବାଂଲାଦେଶର ଆମଦାନୀ ଦେୟ ମଧ୍ୟ ବଢିଛି । ଏହି କାରଣରୁ ଏବେ ଦେଶର ଅର୍ଥବ୍ୟବସ୍ଥା ଚାପରେ ରହିଛି । ସେପଟେ ଏଭଳି ମୂଲ୍ୟବୃଦ୍ଧି ପରେ ବାଂଲାଦେଶରେ ପେଟ୍ରୋଲ ଲିଟର ପିଛା ୧୩୦ ଟାକା (ଭାରତୀୟ ମୁଦ୍ରାରେ ୧୦୮.୪୪) ଓ ଡିଜେଲର ଦାମ ୧୧୪ ଟାକା (ଭାରତୀୟ ମୁଦ୍ରାରେ ୯୫.୧୧) କୁ ବୃଦ୍ଧି ପାଇଛି । ୧୯୭୧ ମସିହାରେ ବାଂଲାଦେଶ ସ୍ୱାଧୀନ ହେବା ପରେ ପ୍ରଥମଥର ପାଇଁ ଦେଶରେ ଇନ୍ଧନର ମୂଲ୍ୟ ଏଭଳି ଭାବେ ବୃଦ୍ଧି କରିବାକୁ ସରକାର ବାଧ୍ୟ ହୋଇଛନ୍ତି ।

ଅନ୍ୟପଟେ ବାଂଲାଦେଶ ସରକାର ଦେଶର ନିମ୍ନଗାମୀ ଆର୍ଥିକ ସ୍ଥିତିକୁ ଗ୍ରହଣ କରିବାକୁ ରାଜି ହୋଇ ନାହାଁନ୍ତି । ସରକାରୀ ବୟାନ ମୁତାବକ ଅନ୍ତର୍ଜାତୀୟ ବଜାରରେ ଅଶୌଦ୍ଧିତ ତୈଳମୂଲ୍ୟ ବୃଦ୍ଧି କାରଣରୁ ଦେଶରେ ଇନ୍ଧନର ମୂଲ୍ୟ ବୃଦ୍ଧି କରାଯାଇଛି । ଏହାସହ ସରକାର କହିଛନ୍ତି କି, ଗତ ୬ ମାସ ମଧ୍ୟରେ ଦେଶର ସରକାରୀ ପେଟ୍ରୋଲିୟମ କମ୍ପାନୀ ବାଂଲାଦେଶ ପେଟ୍ରୋଲିୟମ କର୍ପୋରେଶନ ୮ ଆରବ ଟାକା କ୍ଷତି କରିଛି । ବାଂଲାଦେଶ ଶକ୍ତି ଓ ଖଣିଜସଂମ୍ପଦ ମନ୍ତ୍ରୀ ନସରୂଲ ଅହମ୍ମଦ କହିଛନ୍ତି ଯେ ଏଭଳି ଦରବୃଦ୍ଧି ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପାରେ କିନ୍ତୁ ଏହା ବ୍ୟତୀତ ସରକାରଙ୍କ ପାଖରେ କିଛି ଉପାୟ ନଥିଲା ।