ଧରାପଡିଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡର ଖଳନାୟକ । ମାମୁନ୍ ରାଉତରାୟକୁ ଗିରଫ କଲା ପୋଲିସ, ପାରିବାରିକ କଳହ ନେଇଥିଲା ହତ୍ୟାକାଣ୍ଡର ରୂପ ।

345

କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୋଲିସ । ସାନଭାଇକୁ ହତ୍ୟା କରିଛି ବଡ ଭାଇ । ଗତକାଲି ଭାଇରାଲ୍ ହୋଇଥିବା ମୋବାଇଲ୍ ଭିଡିଓରେ କଟୁରୀ ଧରି ରାସ୍ତା ଉପରେ ବୁଲୁଥିବା ଯୁବକ ହିଁ ହତ୍ୟାକାରୀ ବୋଲି ପୋଲିସ ସ୍ପଷ୍ଟ କରିଛି । ତେବେ ପୋଲିସ କହିଛି, ମୃତକ ସାନଭାଇ ପ୍ରୀତମ ରାଉତରାୟଙ୍କ ନାଁରେ ପୂର୍ବରୁ ମାମଲା ରହିଥିଲା । ଏବଂ କିଛି ଦିନ ତଳେ, ସେ ତାଙ୍କ ବାପା ଏବଂ ଅଭିଯୁକ୍ତ ବଡ ଭାଇଙ୍କୁ ହତ୍ୟା ଧମକ ଦେଇଥିଲା ।

ବିଚ୍ ରାସ୍ତାରେ କଟୁରୀ ଧରି ବେଫିକର ଭାବେ ବୁଲୁଥିବା ଏହି ବ୍ୟକ୍ତି ହିଁ ବାଲିଅନ୍ତା ନୃଶଂସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଯିଏ, ଅତି ନିର୍ଦୟ ଭାବେ ରାସ୍ତା ଉପରେ ନିଜ ସାନଭାଇକୁ ଗୋଡାଇ ଗୋଡାଇ ହତ୍ୟା କରିଛି । ସ୍ରଷ୍ଟା ରାଉତରାୟ ଓରଫ୍ ମାମୁନ୍ । ବାଲିଅନ୍ତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।

୭ ଜୁନ୍ ୨୦୧୯ । ଶୁକ୍ରବାର ଅପରାହ୍ନ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ପଂଚମୁଖୀ ବିହାର ଆପାର୍ଟମେଂଟରେ ରହୁଥିବା ବାପାଙ୍କ ଘରକୁ ଆସିଥିଲା ମୃତକ ପ୍ରୀତମ । ନିଶାସକ୍ତ ଅବସ୍ଥାରେ ବାପାଙ୍କୁ ସବୁଥର ଭଳି ଟଙ୍କା ମାଗିଥିଲା । ତେବେ ବଡ ଭାଇ ମାମୁନ୍ ସଫା ସଫା ମନା କରିଦେଇଥିଲେ । ଦୁଇ ଭାଇଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ପରେ ହାତାହାତି ବି ହୋଇଥିଲା । ଏହାପରେ ସାନ ଭାଇ ପ୍ରୀତମଙ୍କୁ ଖଣ୍ଡାରେ ହାଣି, ଆପାର୍ଟମେଂଟ ନିକଟରେ ଥିବା ଏକ ନିର୍ମାଣଧୀନ ପାଇଖାନା ଟାଙ୍କିରେ ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଚାଲିଯାଇଥିଲେ ଅଭିଯୁକ୍ତ ବଡ ଭାଇ ମାମୁନ ରାଉତରାୟ ।

ହତ୍ୟା ପଛରେ ପାରିବାରିକ କଳହ । ବାପା ଓ ବଡ ଭାଇଙ୍କୁ ହତ୍ୟା ଧମକ ଦେଇଥିଲା ପ୍ରୀତମ । ପୋଲିସକୁ ପରିବାର ଓ ପଡୋଶୀ ମାନେ ଦେଇଥିବା ବୟାନ ଅନୁସାରେ, ମୃତ ସାନଭାଇ ପ୍ରୀତମଙ୍କ ଚରିତ୍ର ଠିକ୍ ନଥିଲା । ପରିବାର ଲୋକଙ୍କୁ ସେ ବାରମ୍ବାର ଟଙ୍କା ମାଗୁଥିଲା ଏବଂ ନଦେଲେ ମାଡ ମାରୁଥିଲା । ପ୍ରୀତମ ଅବିବାହିତ ଥିବା ବେଳେ ସବୁଦିନ ନିଶାସକ୍ତ ରହୁଥିିଲା । ଏପରିକି ଦୁଇ ଦିନ ତଳେ ଘରକୁ ଆସି ବାପା ଓ ବଡ ଭାଇଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା । ଦୀର୍ଘଦିନ ଧରି ପରିବାରରେ ଲାଗିରହିଥିବା କଳହ ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି ।