ବାହାନଗା ଟ୍ରେନ୍ ଦୁର୍ଘଟଣା : ଏଥିପାଇଁ କିଏ ଦାୟୀ ? କାହିଁକି ହେଲା ଦୁର୍ଘଟଣା ?

264

କନକ ବ୍ୟୁରୋ : ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ କିଏ ଦାୟୀ ? ସିଗନାଲରେ ତ୍ରୁଟି ଓ ଷ୍ଟେସନ୍ ମାଷ୍ଟରଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ରେଲୱେ ସେଫଟି କମିଶନର ବା ସିଆରଏସ୍ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ । ଯେଉଁଥିପାଇଁ ସିଗନାଲ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସମ୍ୟାଚ୍ ହୋଇଥିଲା ଓ ଦୁର୍ଘଟଣା ଘଟିିଥିଲା । ତଦନ୍ତ ରିପୋର୍ଟ ଅନୁସାରେ, ସିଗନାଲରେ ପୂର୍ବରୁ ତ୍ରୁଟି ଦେଖାଉଥିଲା ।

ସିଗନାଲ ସୁଇଚ୍ ଅନ୍ ପରେ ଇଣ୍ଟରଲକିଂ ସିଷ୍ଟମ ୧୪ ସେକେଣ୍ଡରେ ପରିବର୍ତ୍ତନ ହୋଇଥାଏ । ମାତ୍ର ସିଗନାଲ ପରିବର୍ତ୍ତନ ପାଇଁ ୩୭ ସେକେଣ୍ଡ ସମୟ ନେଇଥିଲା । ଷ୍ଟେସନ୍ ମାଷ୍ଟର ଏଭଳି ଅସ୍ୱାଭାବିକ ପରିବର୍ତନକୁ ଅଣଦେଖା କରିଥିଲେ । ଯଦି ଷ୍ଟେସନ୍ ମାଷ୍ଟର ଏହି ଅସ୍ୱାଭାବିକ ପରିବର୍ତନ ପାଇଁ ରିପୋର୍ଟ କରିଥାନ୍ତେ, ତେବେ ଏଭଳି ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି । ସେହିପରି ତଦନ୍ତ ରିପୋର୍ଟରେ ଆଉ କିଛି ତଥ୍ୟ ସାମ୍ନାକୁ ଆସିଛି । ବାହାନଗା ଷ୍ଟେସନରେ ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଉନଥିଲା । ୨୦୧୮ରେ ବାହାନଗା ଷ୍ଟେସନର ସିଗନାଲ ସର୍କିଟ ପଏଂଟ ବଦଳିଥିଲା । କିନ୍ତୁ ଏହତ ପରିବର୍ତନକୁ ଡକ୍ୟୁମେଂଟେସନ୍ କରାଯାଇନଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ହୋଇଛି ।

କାହିଁକି ହେଲା ଦୁର୍ଘଟଣା ?

୧. ଯାତ୍ରୀଙ୍କ ତ୍ରୁଟି ନୁହେଁ ମାନବୀୟ ଅବହେଳାରୁ ଦୁର୍ଘଟଣା  ହୋଇଛି ।

୨. ବାହାନଗା ବଜାର ଷ୍ଟେସନରେ ସିଗନାଲ ତ୍ରୁଟି ରହିଥିଲା ଯାହାକୁ ଅବହେଳା କରାଯାଇଛି ।

୩. ତ୍ରୁଟି  ସମ୍ପର୍କରେ ଷ୍ଟେସନ ମାଷ୍ଟର ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ କୈାଣସି ସୂଚନା ଦେଇନଥିଲେ ।

୪. ଏସଓପି ଅନୁଯାୟୀ, ସିଗନାଲ ବ୍ୟବସ୍ଥାରେ ଥିବା ତ୍ରୁଟିକୁ ସଜଡ଼ା ଯିବା କଥା ।

୫. ବାହାନଗା ବଜାର ଷ୍ଟେସନରେ ୪ଟି ଟ୍ରେନ ଟ୍ରାକ ରହିଛି ।

୬. ଗୋଟିଏ ଅପଲାଇନ, ଗୋଟିଏ ଡ଼ାଉନଲାଇନ ଓ ୨ ଟି ଲୁପ ଲାଇନ୍ ରହିଛି । ଗୋଟିଏ ଅପ୍ ଲୁପ ଲାଇନ ଓ ଅନ୍ୟଟି ଡ଼ାଉନ ଲୁପ୍ ଲାଇନ । 

୭. କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ପଟୁ ଭଦ୍ରକ ଆଡ଼କୁ ଯାଉଥିଲା । ଭଦ୍ରକ ପୂର୍ବରୁ ଏହା ବାହାନଗା ବଜାର ଷ୍ଟେସନକୁ ଅତିକ୍ରମ କରିଥାନ୍ତା । 

୮. କରମଣ୍ଡଳ ଆସିବା ପୂର୍ବରୁ ଏକ ମାଲଗାଡ଼ିକୁ ବାହାନଗା ବଜାର ଷ୍ଟେସନରେ ଅପ୍ ଲୁପ ଲାଇନରେ ରଖାଯାଇଥିଲା ।

୯. ଯେହେତୁ ଅପ ଲୁପ ଲାଇନରେ ମାଲଗାଡ଼ି ଥିଲା । ତେଣୁ କରମଣ୍ଡଳକୁ ସିଧା ଅପ୍ ମେନ୍ ଲାଇନରେ ଛାଡ଼ିବାର ଥିଲା । ଅନ୍ୟପଟେ କରମଣ୍ଡଳର ବାହାନଗାରେ କୈାଣସି ଷ୍ଟପେଜ ନାହିଁ । 

୧୦. ପ୍ରଥମେ ଥାଏ ଡିସଷ୍ଟାନ୍ସ ସିଗନାଲ ଏବଂ ପରେ ଥାଏ ହୋମ ସିଗନାଲ ।

୧୧. ଟ୍ରେନର ଗତିକୁ ଧୀର କରିବା ପାଇଁ ପ୍ରଥମେ ଡିସଷ୍ଟାନ୍ସ ସିଗନାଲରେ ଡବଲ ୟେଲୋ ଦିଆଯାଇଥାଏ । ପରେ ସିଙ୍ଗଲ ୟେଲୋ ଦିଆଯାଇଥାଏ ଏବଂ ହୋମ ସିଗନାଲ ପାଖରେ ପହଁଚିଲେ ରେଡ଼ ସିଗନାଲ ଦିଆଯାଇଥାଏ । 

୧୨. କିନ୍ତୁ ଯଦି ଡିସଷ୍ଟାନ୍ସ ସିଗନାଲ ଓ ହୋମ୍ ସିଗନାଲ ଗ୍ରୀନ ରହିଛି ତାହେଲେ ଟ୍ରେନ ତାର ସ୍ୱାଭାବିକ ବେଗରେ ଗତି କରିଥାଏ ।

୧୩. ସିଗନାଲ ଗ୍ରୀନ ଥିବାରୁ କରମଣ୍ଡଳ ତାର ସ୍ୱାଭାବିକ ଗତି ୧୨୮କିଲୋମିଟର ବେଗରେ ଗତି କରୁଥିଲା 

୧୪. କିନ୍ତୁ  ଟ୍ରେନଲାଇନରେ ଥିବା କ୍ରସଓଭରଟି ଅପ ଲୁପ ଲାଇନକୁ ସଂଯୋଗ କରୁଥିଲା । 

୧୫. ତେଣୁ କରମଣ୍ଡଳ ଅପ ଲାଇନରୁ ଅପ ଲୁପ ଲାଇନକୁ ଚାଲି ଯାଇଥିଲା । ଏବଂ ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକଚ ପଛରୁ ଧକ୍କା ଦେଇଥିଲା