ବୈଜୟନ୍ତଙ୍କ ଅସଲ ବିଜେଡି ଟ୍ୱିଟର ଉଦ୍ଦେଶ୍ୟ କଣ? ଆଜିର ବିଜେଡି କଣ ଜନବିରୋଧୀ ! ମହଙ୍ଗା ପଡିବ କି ବିବାଦୀୟ ଟ୍ୱିଟ୍?

78

WEB 2_00000କନକ ବ୍ୟୁରୋ : ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡା ସାଂସଦ । ବିଜେଡି ରାଜନୀତିରେ ଏବେ ଅବୁଝା ପୁଅ । ଏକଦା ନବୀନଙ୍କ ଏକାନ୍ତ ଅନୁଗତ ତଥା ଅତି ନିକଟତର ଥିବା ବୈଜୟନ୍ତ ଆଜି ବିଜେଡି ପାଇଁ ବୋଝ ପାଲଟିଛନ୍ତି । ଦଳ ଭିତରେ ରହି ଦଳ ପାଇଁ ଅଡୁଆ ତିଆରି କରୁଥିବା ଏହି ନେତା ଏବେ ଚର୍ଚ୍ଚାରେ । ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ୫ ଘଂଟିଆ ହରତାଳ କରିଥିବା ବେଳେ ଏହାକୁ ଖୋଲାଖୋଲି ସମାଲୋଚନା କରିଛନ୍ତି ସାଂସଦ । ଏପରିକି ଦଳର କ୍ଷମତା କେନ୍ଦ୍ରକୁ ମଧ୍ୟ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରାପଡାର ଏହି ସାଂସଦ ।

ବୈଜୟନ୍ତ ଟ୍ୱିଟ୍ କରି ବିଜେଡିର ଦୁଇଟି ଚେହେରାକୁ ସାମ୍ନାକୁ ଆଣିଛନ୍ତି । ୨୦୧୦ର ଗୋଟିଏ ଫଟୋ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି, କିଛି ଏଭଳି ଢଙ୍ଗରେ ଆମେ ଆନ୍ଦୋଳନ କରୁଥିଲୁ, ଯାହା ଥିଲା ପ୍ରକୃତ ବିଜେଡି । ଆଉ ଆଜିର ଅନ୍ୟ ଗୋଟିଏ ଫଟୋ ପୋଷ୍ଟ କରି ବୈଜୟନ୍ତ ଲେଖିଛନ୍ତି, ଲୋକ ବିରୋଧୀ ଗୁଣ୍ଡାଗର୍ଦ୍ଦି । ବୈଜୟନ୍ତଙ୍କ ଏହି ଟ୍ୱିଟ୍ ଅନେକ ବିବାଦ ଆଉ ପ୍ରଶ୍ନ ତିଆରି କରିଛି । ପ୍ରଶ୍ନ ଉଠୁଛି, ପ୍ରକୃତ ବିଜେଡି ଆଉ ଆଜିର ବିଜେଡି ଭିତରେ ସେ ଦେଖୁଥିବା ଫରକ୍ ପାଇଁ କିଏ ଉତ୍ତରଦାୟୀ? ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ପରୋକ୍ଷରେ ସମାଲୋଚନା କରୁନାହାନ୍ତି ତ?

vlcsnap-2017-09-18-21h31m10s679ସେହିଭଳି ବୈଜୟନ୍ତ ଆଉ ଏକ ଟ୍ୱିଟ୍ କରି କହିଛନ୍ତି, ଏହା ସେହି ଦଳ ନୁହେଁ, ଯାହାକୁ ଗଠନ କରିବାକୁ ୨୦ ବର୍ଷ ପୁର୍ବେ ମୁଁ ନବୀନ ପଟ୍ଟନାୟକଙ୍କୁ ସହଯୋଗ କରିଥିଲି । ଆଜି ଏଭଳି କାର୍ଯ୍ୟକୁ ଦେଖି ମୁଁ ଲଜ୍ଜିତ ଅନୁଭବ କରୁଛି, କ୍ରୋଧ ବି ଆସୁଛି । ବିଜୁ ବାବୁଙ୍କର ମଧ୍ୟ ଏଭଳି ଅନୁଭବ କରିଥାନ୍ତେ । ଏସି ରୁମରେ ଆରାମରେ ବସି ଷ୍ଟ୍ରାଟେଜୀ ତିଆରି କରୁଥିବା ବ୍ୟକ୍ତି ହଟିବା ଦରକାର । ଏହାର ସମୀକ୍ଷା କଲେ ଗୋଟିଏ କଥା ସ୍ପଷ୍ଟ, କେନ୍ଦ୍ରାପଡା ସାଂସଦଙ୍କ ଟାର୍ଗେଟରେ ତୃତୀୟ ମହଲା । ବିଜେଡିର ପୁଂଜି ଅର୍ଥାତ୍ ବିଜୁ ବାବୁଙ୍କ ନାଁ ଆଣି, ବୈଜୟନ୍ତ ଗୋଟିଏ କଥା ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି, ଯେ ଧୀରେ ଧୀରେ ନୀତି ଆଦର୍ଶଠାରୁ ଦୁରେଇ ଯାଉଛି । ଯେଉଁ ନୀତି ଅଦାର୍ଶରେ ବିଜୁ ବାବୁ ବିଶ୍ୱାସ କରୁଥିଲେ, ଦଳ ସେଥିରୁ ଦୁରେଇ ଯାଉଛି ।

ଏଭଳି ସାଂଘାତିକ ପ୍ରତିକ୍ରିୟା ଦଳକୁ ଅଡୁଆରେ ପକାଇଛି । ହରତାଳକୁ ଲଜ୍ଜାଜନକ ଘଟଣା ଭାବେ ବର୍ଣ୍ଣନା କରିବା ସହ ନିଜକୁ ହରତାଳରୁ ଦୁରେଇ ରଖିଥିବା କଥା ସେ କହିଛନ୍ତି । ହରତାଳ ନାଁରେ ଆତଙ୍କ ସୃଷ୍ଟି କରିଥିବା ଗୁଣ୍ଡାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ କହିଛନ୍ତି । ଅର୍ଥାତ୍ ବିଜୁ ଜନତା ଦଳର ନେତା ଯେତେବେଳେ ଏହାକୁ ସଫଳ ହରତାଳ କହୁଛନ୍ତି, ସେତେବେଳେ ସାଂସଦ ଏହି କାର୍ଯ୍ୟକୁ ଗୁଣ୍ଡାମୀ ସହ ତୁଳନା କରିଛନ୍ତି ।

ପ୍ରଶ୍ନ ଉଠୁଛି, ଏଭଳି କଡା ଆଭିମୁଖ୍ୟ କାହିଁକି ପୋଷଣ କରୁଛନ୍ତି ସାଂସଦ । ଦଳ କଣ ପ୍ରକୃତରେ ସଠିକ ଭାବେ ଚାଲିନି? ଦଳ କଣ ନୀତି ଆଦର୍ଶରୁ ଦୁରେଇ ଯାଇଛି? ବିଜୁ ବାବୁଙ୍କ ଆଦର୍ଶରୁ କଣ ନବୀନ ବାବୁ ଦୁରେଇ ଗଲେଣି? ବୈଜୟନ୍ତଙ୍କ ଟ୍ୱିଟ୍ ପରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । କାରଣ ଗୋଟିଏ ସମୟ ଥିଲା ବୈଜୟନ୍ତ ପଣ୍ଡା ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଂପର୍କ ବେଶ ନିବିଡ ଥିଲା । ହେଲେ ଏବେ କିନ୍ତୁ କେହି କାହାରିକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଲଗାତର ଭାବେ ଦଳୀୟ ନୀତି ଆଉ ନିଷ୍ପତ୍ତିକୁ ବୈଜୟନ୍ତ ବିରୋଧ କରୁଛନ୍ତି ।

baijayanta panda ଗତ କିଛି ଦିନ ଧରି ରାଜନୈତିକ ଦୃଷ୍ଟିକୋଣରେ ବୈଜୟନ୍ତଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଲେ ଜଣାପଡୁଛି, ଦଳୀୟ ସ୍ତରରେ ନିଜ ଓଜନ ଧୀରେ ଧୀରେ ହରାଉଛନ୍ତି କେନ୍ଦ୍ରାପଡାର ସାଂସଦ । ବିଜେଡିକୁ ସମାଲୋଚନା କରିବା ଓ ମୋଦି ନୀତିକୁ ପ୍ରଶଂସା କରିବା କାରଣରୁ ବିବାଦ ଭିତରକୁ ଆସିବା ସହ ନବୀନଙ୍କ ଠାରୁ ଦୂରତା ବଢିଥିଲା । ସବୁଠାରୁ ବଡ କଥା ଥିଲା, ଯେତେବେଳେ ନିଜ ନିର୍ବାଚନ ମଣ୍ଡଳୀରେ ଅଣ୍ଡାମାଡ ଖାଇ ଲଜ୍ଜିତ ହୋଇଥିଲେ ବୈଜୟନ୍ତ । ସାଂସଦ ପାଂଠିରୁ ଅର୍ଥ ଖର୍ଚ୍ଚ କରି ତିଆରି କରିଥିବା ପ୍ରକଳ୍ପ ଉଦଘାଟନ କରିବାକୁ ଯେତେବେଳେ ବୈଜୟନ୍ତ ମାହାଙ୍ଗା ଯାଇଥିଲେ ସେତେବେଳେ ବିଜେଡି କର୍ମୀ ତାଙ୍କୁ ଅଣ୍ଡାମାଡ କରିଥିଲେ । ଆଉ ଏହାପରେ ରାଗିପାଚି ଲାଲ୍ ହୋଇଯାଇଥିବା ସାଂସଦ ଛାଡିଥିଲେ ଟ୍ୱିଟ୍ ବାଣ । ଟାର୍ଗେଟ କରିଥିଲେ କିଛି ପ୍ରଶାସକଙ୍କୁ । କିଭଳି ବିଜୁ ଜନତା ଦଳ ଅଫିସରଙ୍କ ନିୟନ୍ତ୍ରଣକୁ ଚାଲିଯାଉଛି, ସେନେଇ କରିଥିଲେ ଟ୍ୱିଟ୍ । ଆଉ ଆଜି ମଧ୍ୟ ଠିକ ସମାନ ଢଙ୍ଗରେ ଦଳୀୟ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୈଜୟନ୍ତ ।

articleଦଳ ବିରୋଧରେ ମନ୍ତବ୍ୟ ଓ ଲେଖା ଲେଖିବା କାରଣରୁ ନବୀନ ବୈଜୟନ୍ତଙ୍କୁ ପୂର୍ବରୁ ଲୋକସଭାରେ ଦଳୀୟ ମୁଖପାତ୍ର ପଦରୁ ମଧ୍ୟ ହଟାଇଥିଲେ । ଯାହା ତାଙ୍କ ପାଇଁ ବେଶ ଅପମାନଜନକ ମଧ୍ୟ ଥିଲା । ମୁଖପାତ୍ର ପଦରୁ ହଟିବା ପରେ ନବୀନଙ୍କୁ ସିଧାସଳଖ ସମାଲୋଚନା ନକରି କହିଥିଲେ, ଅନ୍ୟ ସାଂସଦ ଖବରକାଗଜରେ ଲେଖା ଲେଖୁଥିଲେ ବି ସେମାନଙ୍କ ବିରୋଧରେ ନିଆଯାଉନି କାର୍ଯ୍ୟାନୁଷ୍ଠାନ । ଏଥିସହ କହିଥିଲେ, ଯଦି ବିଜେଡି ସୁପ୍ରିମୋ ଏହି ନିଷ୍ପତି ନେଇଥାନ୍ତି ତାହେଲେ ସ୍ୱାଗତ କରିବି । ଅର୍ଥାତ୍ ନିଷ୍ପତି ପଛରେ ଆଉ କାହା ହାତ ଥାଇପାରେ ବୋଲି ସେ ଇଙ୍ଗିତ କରିଥିଲେ ।

ଏବେ ନଜର ପକାନ୍ତୁ, ଗତ କିଛି ଦିନ ଧରି କିଭଳି ରହିଥିଲା ବୈଜୟନ୍ତଙ୍କ ବିବାଦୀୟ ମତ ଓ ମନ୍ତବ୍ୟ ।

jay panda– ଯାଜପୁର ନେତା ଅମର ନାୟକ ଓ କୋରାପୁଟ ବିଜେଡିରୁ ନିଲମ୍ବିତ ନେତା ଜୟରାମ ପାଙ୍ଗି ବିଜେପିରେ ଯୋଗଦେବା ପରେ ଟ୍ୱିଟ କରି ବୈଜୟନ୍ତ କହିଥିଲେ, ଏନେଇ ସେ ସପ୍ତାହେ ପୂର୍ବରୁ ଚେତାଇଥିଲେ କିନ୍ତୁ କିଛି ହେଲା ନାହିଁ । ମନ୍ତ୍ରିମଣ୍ଡଳରେ ଅନେକ ଜିଲ୍ଲାର ନେତା ସ୍ଥାନ ନପାଇବାରୁ ଅସନ୍ତୋଷ ବଢୁଛି ।

– କନ୍ଧମାଳ ବାଲିଗୁଡାରେ ବୈଜୟନ୍ତ କହିଥିଲେ ବିଜେଡିରୁ ଯେଉଁମାନଙ୍କୁ ବିଦା କରାଯାଇଛି ସେମାନଙ୍କ ବିରୋଧରେ କରାଯାଇଥିଲା ଷଡଯନ୍ତ୍ର ।

– ପଂଚାୟତ ନିର୍ବାଚନ ଫଳାଫଳ ପରିପ୍ରେକ୍ଷୀରେ ବୈଜୟନ୍ତଙ୍କ ଖବରକାଗଜ ଲେଖା ଥିଲା ଖୁବ କଡା । ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲେ । କିପରି ଦଳ ଗଢିଥିବା ନେତାଙ୍କୁ ଅଣଦେଖା କରାଯାଉଛି ତାହା ମଧ୍ୟ ଉଲ୍ଲେଖ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ।

– ଏହାପରେ ଟ୍ୱିଟ ସିରିଜ ଜରିଆରେ ସଫେଇ ରଖିଥିଲେ, ଦଳରେ ଆତ୍ମସମୀକ୍ଷା କଥା କହି ସୁପ୍ରିମୋଙ୍କୁ ସଚେତନ କରାଇବାକୁ ଚାହିଁଥିଲି । ହେଲେ ଦଳରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ବିଭ୍ରାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ନବୀନ ପଟ୍ଟନାୟକ ଏହାକୁ ଚିହ୍ନଟ କରିବା ସହ ଜରୁରୀ ପଦକ୍ଷେପ ନେଇ ଦଳର ପ୍ରକୃତ ଶକ୍ତିର ଅଭ୍ୟୁଦୟ କରିବେ ।

– ବିଜେଡିର ଆଉ ଜଣେ ସାଂସଦ ତଥାଗତ ଶତପଥୀଙ୍କ ସହ ଟ୍ୱିଟର ଲଢେଇକୁ ଓହ୍ଲାଇ ଆସିଥିଲେ ବୈଜୟନ୍ତ । ବିଜେଡି ବିଭାଜନ ନେଇ ଦିଲ୍ଲୀରେ କିଛି ନେତା ପ୍ରୟାସ କରୁଛନ୍ତି ବୋଲି ତଥାଗତଙ୍କ ଟ୍ୱିଟରରେ ଲେଖିଥିବା ବେଳେ, ବୈଜୟନ୍ତ ଏହାକୁ ନିଜ ଉପରକୁ ନେଇ ତଥାଗତଙ୍କୁ ପରୋକ୍ଷରେ ଲେଖିଥିଲେ, ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ।

baijanta panda controversial tweet– ଅଫିସରଙ୍କ ସ୍ୱଛତା ଉପରେ ବୈଜୟନ୍ତ ଉଠାଇଥିଲେ ସବୁଠାରୁ ବଡ ପ୍ରଶ୍ନ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଆଇଏଏସ ଅଫିସର ନେତାଙ୍କ ସହ ମିଶି ଲୁଟ୍ କରୁଛନ୍ତି । ତାଙ୍କୁ ବାହାର କରାଯିବା ଦରକାର । ଜଣେ ବ୍ୟକ୍ତି ଟ୍ୱିଟ୍ କରିଥିଲେ, କର୍ଣାଟକର ମାଇନିଂ ସ୍କାମରେ ଆଇଏଏସ ଅଫିସର ଲାଂଚ ନେଇ ନିଜ ପୁଅର ବିଳାସ ବ୍ୟସନ ପାଇଁ ଖର୍ଚ୍ଚ କରିଥିଲେ । ଏହାରି ଉପରେ ଟ୍ୱିଟ୍ କରି କେନ୍ଦ୍ରାପଡ଼ା ସାଂସଦ ଲେଖିଥିଲେ, ର୍ଦୁଭାଗ୍ୟର କଥା ଏଭଳି ଆଇଏଏସ ଅଫିସର ଓଡ଼ିଶାରେ ମଧ୍ୟ ଅଛନ୍ତି । ସେମାନଙ୍କୁ ବାହାର କରିବା ଦରକାର । ନବୀନ ଯେପରି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ କଲେ ସେହିପରି ଆଇଏଏସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦରକାର । ଦଳ ଓ ସରକାର ଭଳି ଆଇଏଏସଙ୍କ ଉପରେ ମଧ୍ୟ ପଦକ୍ଷେପ ଜରୁରୀ ।

ଏଭଳି କିଛି ବିବାଦୀୟ ମତ ଆଉ ମନ୍ତବ୍ୟକୁ ନେଇ କୁହାଯାଉଥିଲା, ରାଜ୍ୟରେ ବିଜେପିର ବଢୁଥିବା ଶକ୍ତି ଆଉ ବୈଜୟନ୍ତଙ୍କ ଦଳ ଭିତରେ କମୁଥିବା ଲୋକପ୍ରିୟତା ତାଙ୍କୁ ପଦ୍ମ ପୋଖରୀ ଆଡେ ଢଳିବାକୁ ବାଧ୍ୟ କରୁଛି । ଆଉ ରିପବ୍ଲିକ୍ ଟିଭିର ଏହି ଖବର ରାଜନୀତିରେ ହଇଚଇ ଆଣିଛି ।

baijayanta panda likely to join bjpକିଛି ଦିନ ଆଗରୁ ଜାତୀୟ ଗଣମାଧ୍ୟମ ରିପବ୍ଲିକ ଟିଭିରେ ଖବର ପ୍ରକାଶ ପାଇଥିଲା, ଖୁବଶୀଘ୍ର ବିଜେଡି ଛାଡି ବିଜେପିରେ ଯୋଗଦେଇପାରନ୍ତି ବୈଜୟନ୍ତ ପଣ୍ଡା । ଯାହାକୁ ନେଇ ଢେର ଚର୍ଚ୍ଚା ବି ହେଲା । ହେଲେ ଏନେଇ ଅସମ୍ଭବ ନୀରବତା ଅବଲମ୍ବନ କରିଥିଲେ କନ୍ଦ୍ରୋପଡା ସାଂସଦ । ଆଗକୁ ବିଜେପିରେ ମିଶିବାକୁ ଯୋଜନା କରୁଛନ୍ତି କି ବୈଜୟନ୍ତ? ମୁଖପାତ୍ର ପଦରୁ ବିଦା ହେବା ପରେ ଗଣମାଧ୍ୟମ କେନ୍ଦ୍ରାପଡା ସାଂସଦଙ୍କ ସାମ୍ନାରେ ରଖିଥିଲା ଏହି ବଡ ପ୍ରଶ୍ନ । ସେତେବେଳେ ବୈଜୟନ୍ତ କହିଥିଲେ, ଦଳକୁ ସୁଦୃଢ କରିବା ହେଉଛି ତାଙ୍କର ଲକ୍ଷ୍ୟ । ଦଳର ପ୍ରତିଷ୍ଠା ଦିନଠାରୁ ସେ ଦଳରେ ଅଛନ୍ତି । ଦଳର ଉତଥାନ ଦେଖିଛନ୍ତି । ଏବେ ଦଳ ଯେତେବେବେଳେ ଅସୁବିଧାରେ ପଡିଛି ସେ ଦଳକୁ ପରାମର୍ଶ ଦେଉଥିଲେ ।

ତେବେ ବିଜେଡିର ହରତାଳ ଡାକରାକୁ ନେଇ ବୈଜୟନ୍ତ ଯେଉଁଭଳି ଟ୍ୱିଟ୍ କଲେ ତାପରେ ବିଜେଡିର ଟପ୍ ନେତୃତ୍ୱଙ୍କ ଉପରେ ଏବେ ସମସ୍ତଙ୍କ ନଜର । ବୈଜୟନ୍ତଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ନବୀନ ପଦକ୍ଷେପ ଗ୍ରହଣ କରିବେ କି? ତେବେ ସୂଚନା କହୁଛି, ବର୍ତ୍ତମାନ ପରିସ୍ଥିତିରେ ବିଜେଡିର ଅନ୍ଦର ମହଲ ଏଭଳି କିଛି ଯୋଜନା କରୁନାହିଁ । ବିଜେଡିର ଗୋଟିଏ ଗୋଷ୍ଠୀର ଯୁକ୍ତି ହେଉଛି, ବୈଜୟନ୍ତ ପଣ୍ଡା ଏଭଳି ଆଚରଣ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳୀୟ ସୁପ୍ରିମୋଙ୍କୁ ଉସକାଉଛନ୍ତି । ହେଲେ ଦଳୀୟ ନେତା ଏହା କେବେ ହେବାକୁ ଦେବେନାହିଁ । ଅର୍ଥାତ୍ ବୈଜୟନ୍ତ ପଣ୍ଡାଙ୍କୁ ଦଳ ସସପେଣ୍ଡ କରିବ ନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ।

ସୂଚନା ଅନୁସାରେ, ବୈଜୟନ୍ତ ଏକ ବଡ ଧରଣର ଗୋଟିଚାଳନା କରିଛନ୍ତି । ବିଜେଡିର ନିଷ୍ପତ୍ତିକୁ ସମାଲୋଚନା କରି ଯଦି ସେ ଦଳରୁ ନିଲମ୍ବିତ ହୁଅନ୍ତି, ତେବେ ଲୋକଙ୍କ ଅନୁକମ୍ପା ହାସଲ କରି ଅନ୍ୟ ଦଳରେ ସାମିଲ ହେବେ । ଯାହା ତାଙ୍କ ପାଇଁ ରାଜନୈତିକ ବାତାବରଣକୁ ଅନୁକୁଳ ରଖିବ । ଦଳର ଭୁଲ କାମକୁ ସମାଲୋଚନା କରିବାକୁ କ୍ଷମତାଶାଳୀ ଗୋଷ୍ଠୀ ସହ୍ୟ କଲେନି ବୋଲି ବାର୍ତ୍ତା ଦେଇ ବୈଜୟନ୍ତ ଅନୁକମ୍ପା ହାସଲ କରିବେ ବୋଲି ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି । ହେଲେ ବିଜେଡିର ଟପ୍ ନେତା ଏବାବଦରେ ଅବଗତ ଥିବାରୁ, ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କ ପାଇଁ ଅନୁକୁଳ ବାତାବରଣ ତିଆରି କରିବା ସପକ୍ଷରେ ନାହିଁ ।

ତେବେ ବିଜେଡି ବନାମ ବୈଜୟନ୍ତ ଏପିସୋଡରେ ଗୋଟିଏ କଥା ସ୍ପଷ୍ଟ, ଯେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ବେଳକୁ ଉଭୟଙ୍କ ଭିତରେ ଅନେକ କିଛି ଫରକ୍ ଆସିଥିବ । ବିଜୁ ଜନତା ଦଳ ଉପରକୁ ଲଗାତର କ୍ଷତି ପହଂଚାଇବାକୁ ଉଦ୍ୟମ କରୁଥିବା ବୈଜୟନ୍ତଙ୍କୁ ବିଜେଡି କିଭଳି ଜବାବ ଦେଉଛି ଆଉ ମୁକାବିଲା କରୁଛି, ତା’ଉପରେ ନଜର ।