ରାମଦେବଙ୍କ ଭବିଷ୍ୟବାଣୀ । ୪ ଖଣ୍ଡ ହୋଇଯିବ ପାକିସ୍ତାନ, ଭାରତରେ ମିଶିବ ଏହି ସବୁ ଅଞ୍ଚଳ ।

295

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବ ପାକିସ୍ତାନକୁ ନେଇ ବଡ ବୟାନ ଦେଇଛନ୍ତି । ଖୁବଶୀଘ୍ର ପାକିସ୍ତାନ ୪ ଭାଗରେ ବାଣ୍ଟି ହୋଇଯିବ । ଆଉ ସବୁଠୁ ବଡ କଥା ହେଲା, ପାକ୍ ଅଧିକୃତ କାଶ୍ମୀର ବା ପିଓକେ ଭାରତରେ ଥିବ । ବାଲୁଚିସ୍ତାନ, ପିଓକେ ଓ ପଞ୍ଜାବ ଭିନ୍ନ ରାଷ୍ଟ୍ର ହେବା ସହ ପାକିସ୍ତାନ ଛୋଟିଆ ଦେଶରେ ସୀମିତ ହୋଇ ରହିଯିବ । ଆଉ ଏଭଳି କହି ରାମଦେବ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ରାମଦେବ କହିଛନ୍ତି, ଖୁବଶୀଘ୍ର ପିଓକେ ଭାରତରେ ମିଶିବ । ପରେ ବାଲୁଚିସ୍ତାନ ମଧ୍ୟ ସ୍ୱତଃପ୍ରବୃତ ଭାବେ ଭାରତରେ ମିଶିବ । ଅନ୍ୟପଟେ ପଞ୍ଜାବ ଓ ସିନ୍ଧ ପ୍ରାନ୍ତର ଭାରତ ସହ ସାଂସ୍କୃତିକ ସମ୍ପର୍କ ଥିବାରୁ ଏହି ଅଞ୍ଚଳ ମଧ୍ୟ ଭାରତରେ ମିଶିବାରେ କୌଣସି ବାଧକ ରହିବନି । ଆଉ ଏହାଦ୍ୱାରା ଭାରତ ପୂରା ବିଶ୍ୱରେ ସୁପରପାୱାର ଭାବେ ଉଭା ହେବ । ସମୟର ଆହ୍ୱାନ କ୍ରମେ ଆଗାମୀ ଦିନରେ ଏହା ହିଁ ହେବାକୁ ଯାଉଛି ।

ରାମଦେବଙ୍କ ଏହି ବୟାନ ସେତେବେଳେ ଆସିଛି ଯେତେବେଳେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ସ୍ଥିତି ଏତେ ସଙ୍ଗୀନ ହୋଇଛି ଯେ, ଆଗାମୀ କେଇ ମାସ ମଧ୍ୟରେ ପାକିସ୍ତାନ ଦେବାଳିଆ ହୋଇଯାଇପାରେ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସ୍ଥିତିରେ ସୁଧାର ନ ଆସିଲେ ପାକିସ୍ତାନରେ ଶ୍ରୀଲଙ୍କା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଦେଶରେ ଏବେଠାରୁ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ କରାଯାଉଥିବା ବେଳେ ଖାଦ୍ୟ ସଙ୍କଟ ମଧ୍ୟ ପାକିସ୍ତାନରେ ଭୟାବହ ସ୍ଥିତି ସୃଷ୍ଟି କଲାଣି । କାଙ୍ଗାଳ ଅବସ୍ଥାରେ ଥିବା ପାକିସ୍ତାନ ଏବେ ଆଇଏମଏଫ ଶରଣରେ ପଶିଛି । ଭୟଙ୍କର ପରିସ୍ଥିତି ଭିତରେ ଗତି କରୁଥିବା ପାକିସ୍ତାନରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆଉ ଏହିସବୁ କାରଣ ହୁଏତ ବାଲୁଚିସ୍ତାନ, ପିଓକେ ଓ ପଞ୍ଜାବ ପ୍ରାନ୍ତକୁ ପାକିସ୍ତାନ ଠାରୁ ଅଲଗା କରିପାରେ । ଆଉ ଏହା ଭିତରେ ରାମଦେବଙ୍କର ଏହି ବୟାନ ଦେଶବାସୀଙ୍କ ମନ ଖୁସି କରି ଦେଇଛି ।

କେବଳ ଏତିକି ନୁହେଁ ରାମଦେବ କହିଛନ୍ତି, ଦେଶରେ ସନାତନ ଧର୍ମକୁ ନୀଚା ଦେଖାଇବାକୁ ପ୍ରୟାସ କରାଯାଉଛି । ଭାରତ ବିରୋଧୀ, ଅର୍ନ୍ତଜାତୀୟ ଶକ୍ତିର ପ୍ରରୋଚନାରେ ଏଭଳି କୁତ୍ସିତ ପ୍ରୟାସ କରାଯାଉଛି ।
ଏହାପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ପିଓକେକୁ ନେଇ କହିଥିଲେ ଯେତେବେଳେ ଆମେ ଜମ୍ମୁ-କାଶ୍ମୀରର କଥା କହୁଛେ ସେତେବେଳେ ପିଓକେ ଓ ଅକସାଇ ଚୀନକୁ ଭୁଲିବା କଥା ନୁହେଁ । କାରଣ ଏହା ମଧ୍ୟ ଜମ୍ମୁ କାଶ୍ମୀରର ଅଂଶ । ଆଉ ଏହା ପାଇଁ ଆମେ ଜୀବନ ମଧ୍ୟ ଦେଇଦେବୁ ।