ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା । ଆହତ ହେଲେ ଏହି ଷ୍ଟାର ବୋଲର…

1,004

କନକ ବ୍ୟୁରୋ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଗତକାଲି ବିସିସିଆଇ ସିଲେକ୍ସନ କମିଟି ଏହି ସିରିଜ୍ ପାଇଁ ଟି-୨୦ ଦଳ ମଧ୍ୟ ଘୋଷଣା କରିସାରିଛି । ଯେଉଁଥିରେ ଏକାଧିକ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିଥିବାବେଳେ, ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାର ସମ୍ଭାଳିବେ । ତେବେ ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ନେଇ ଆସିଛି ବଡ ଖବର । ଦଳ ଷ୍ଟାର ବୋଲର ଏବେ ସିରିଜ୍ ପୂର୍ବରୁ ଆହତ ହେଇଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଥିବା ଆଭେଶ୍ ଖାନ୍ ଏବେ ଆହତ ହେଇଥିବା ସୂଚନା ମିଳିଛି । ଦିଲ୍ଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନ୍ ତରଫରୁ ମ୍ୟାଚ୍ ଖେଳୁଥିବା ସମୟରେ ସେ ଆହତ ହେଇଛନ୍ତି । ତେବେ ବର୍ତ୍ତମାନ ଦିଲ୍ଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନ୍ ଏବଂ ୱେଷ୍ଟ ଜୋନ୍ ଭିତରେ ସେମିଫାଇନାଲ ମ୍ୟାଚ୍ ବାଙ୍ଗାଲୋରରେ ଖେଳାଯାଉଛି । ଯେଉଁଥିରେ ଦ୍ୱିତୀୟ ଦିନ ଆଭେସ ଖାନ୍ ଫିଲ୍ଡିଂ କରିନାହାଁନ୍ତି ।

ମିଳିଥିବା ସୂଚନା ମୁତାବକ, ଆଭେଶ୍ ଖାନଙ୍କର ଡାହାଣ କାନ୍ଧରେ ଆଘାତ ଲାଗିଛି । ଯାହାପରେ ସେ ପଡିଆ ଛାଡିବା ସହିତ ଆଉ ପଡିଆରେ ଫିଲ୍ଡିଂ କରିନାହାଁନ୍ତି । ତେବେ ଦୀର୍ଘ ଦିନ ପରେ ଟିମ୍ ଇଣ୍ଡିଆକୁ କମବ୍ୟାକ୍ କରିଥିବା ଏହି ବୋଲର ଆହତ ହେବା, ତାଙ୍କ ପ୍ରଂଶସକଙ୍କୁ ନିରାଶ କରିଛି । ତେବେ ଆଶ୍ୱସ୍ତିର କଥା ହେଲା, ବିସିସିଆଇ କିନ୍ତୁ ବିଧିବଦ୍ଧ ଭାବେ ତାଙ୍କ ଆହତ ହେବାକୁ ନେଇ କୌଣସି ସୂଚନା ଦେଇନାହିଁ । ତେଣୁ ଖୁବଶୀଘ୍ର ସେ ସୁସ୍ଥ ହେଇ ଟିମ୍ ଇଣ୍ଡିଆ ପକ୍ଷରୁ ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଛି ।

କ୍ୟାରିୟର କଥା ଦେଖିବାକୁ ଗଲେ, ଆଭେଶ ଖାନ୍ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ପାଇଁ ମୋଟ ୫ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ତା ସହିତ ୧୫ଟି ଟି-୨୦ ମ୍ୟାଚ୍ ଖେଳି ସେ ୧୩ଟି ୱିକେଟ୍ ନେଇଛନ୍ତି । ଅନ୍ୟପଟେ ୩୭ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ସେ ୧୪୮ଟି ସଫଳତା ପାଇଥିବାବେଳେ, ଲିଷ୍ଟ ଏରେ ୩୨ଟି ସଫଳତା ପାଇଛନ୍ତି । ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିବା ସହିତ ସେ ୪୭ଟି ମ୍ୟାଚ୍ ଖେଳି ୫୫ଟି ୱିକେଟ୍ ହାତେଇଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଷାନ, ଶୁଭମନ୍ ଗିଲ, ଯଶସ୍ୱୀ ଜୟସୱାଲ୍, ତିଲକ ବର୍ମା, ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମରାନ୍ ମଲ୍ଲିକ, ଆଭେଶ ଖାନ୍ ଏବଂ ମୁକେଶ କୁମାର