ସାପ ନେଉଛି ଜୀବନ: ରାଜ୍ୟରେ ବର୍ଷକୁ ହାରାହାରି ସାପ କାମୁଡ଼ାରେ ମରୁଛନ୍ତି ୮୦୦

135

କନକ ବ୍ୟୁରୋ: ରାଜ୍ୟରେ ବିଷଧର ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଉଦେବଗଜନକ ଭାବେ ବଢୁଛି । ସର୍ପ ଦଂଶନରେ ଗତ ୫ବର୍ଷରେ ରାଜ୍ୟର ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଗଲା ୪ ବର୍ଷ ହେଲା ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ହାର ହାରି ୮ଶହ ଉପରେ ରହୁଛି ।

୨୦୧୬-୧୭- ୫୪୨ ଜଣଙ୍କ ମୃତ୍ୟୁ
୨୦୧୭-୧୮- ୮୨୪
୨୦୧୮-୧୯- ୮୨୩
୨୦୧୯-୨୦-୯୫୧

ସାପ କାମୁଡାରେ ଲୋକଙ୍କ ମୃତ୍ୟୁକୁ ଆଖିରେ ରଖି ରାଜ୍ୟ ୨୦୧୫ ମସିହାରେ ସର୍ପଦଂଶନକୁ ବିପର୍ଯ୍ୟୟ ତାଲିକାଭୁକ୍ତ କରିବା ସହ ସାପ କାମୁଡାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ବର୍ଷକୁ ରାଜ୍ୟ ସରକାର ଏବାବଦରେ ୩୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବଡ କଥା ହେଉଛି, ରାଜ୍ୟରେ ବର୍ଷକରେ ପ୍ରାକୃତିକ ବିପର୍ଯ୍ୟୟରେ ଯେତେ ଲୋକଙ୍କ ମୃତ୍ୟୁ ହୁଏ, ତାର ୪୦ ପ୍ରତିଶତ କେବଳ ସାପ କାମୁଡା ଜନିତ ।

ସାପ କାମୁଡା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଉଛି ଭୁଲ ଚିକିତ୍ସା । ସାପ କାମୁଡିଲେ ସାଙ୍ଗେ ସାଙ୍ଗେ ଡାକ୍ତର ପାଖକୁ ଯିବା ବଦଳରେ ଗୁଣି ଗାରେଡି କରିବା ସହ ମନ୍ଦିରକୁ ଧାଉଁଛନ୍ତି । ଯାହା ଫଳରେ ସାପ କାମୁଡିଥିବା ଲୋକ ଠିକ ସମୟରେ ଠିକ୍ ଚିକିତ୍ସା ପାଉନି, ତା ଜୀବନକୁ ସଂପର୍କୀୟ ବିପଦ ଭିତରକୁ ଠେଲି ଦେଉଛନ୍ତି ।

ସାପ କାମୁଡା ଜନିତ ମୃତ୍ୟୁ ରୋକିବା ରାଜ୍ୟ ସରକାର ଚଳିତ ବର୍ଷ ନୂଆ ନୀତି ଆଣୁଛନ୍ତି । ଶନିବାର ବିଶେଷଜ୍ଞ ଓ ବିଭିନ୍ନ ବିଭାଗର ସଚିବଙ୍କୁ ନେଇ ଏକ ବଡ ଧରଣର ବୈଠକରେ ହୋଇଯାଇଛି । ବୈଠକରେ ଗୁଣିଗାରେଡି ବିରୋଧରେ ଲୋକଙ୍କୁ ସଚେତନ କରିବାକୁ ନିଷ୍ପତି ନିଆଯାଇଛି ।

ଜଙ୍ଗଲ ବିଭାଗ, ସ୍ୱତନ୍ତ୍ର ରିଲଫ କମିସନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଲୋକଙ୍କୁ ସଚେତନ କରିବେ । ପରବର୍ତି ସମୟରେ ଜନସହଭାଗିତାରେ ବିଭିନ୍ନ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏଏନଏମ, ଜିଏନଏମମାନଙ୍କୁ ସାପ କାମୁଡାର ସରଳ ଚିକିତ୍ସାର ତାଲିମ ଦିଆଯିବ ।