‘କରୋନାର ନୂଆ ଭାରିଆଣ୍ଟକୁ ନେଇ ଭୟ କରନ୍ତୁନି’, ଆଶ୍ୱସ୍ତ କଲା ଆଇସିଏମଆର । 

221

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କିତ ହେବା ନାହିଁ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଷ୍ଟ୍ରେନକୁ ନେଇ ଏଭଳି ପ୍ରତିକ୍ରିୟା ଦେଇଛି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ । ଏଥିସହ କରୋନା କଟକଣା ପାଳନ ସହ କରୋନା ଟିକାର ଦ୍ୱିତୀୟ ଡୋଜ ନେବାର ଆଦୌ ଅବହେଳା ନ କରିବାକୁ ଦେଶବାସୀଙ୍କୁ ଅପିଲ କରିଛି ଆଇସିଏମଆର ।

କରୋନାର ମ୍ୟୁଟାଣ୍ଟ ଭୁତାଣୁ ହୋଇଥିବା ସତ୍ତେ୍ୱ ଓମିକ୍ରନ ଅଧିକ ସଂକ୍ରାମକ ଓ ଘାତକ ସାବ୍ୟସ୍ତ ହେବ ବୋଲି କହିବା ଆଗୁଆ ହୋଇଯିବ । ଏବେ ଓମିକ୍ରନ ବାବଦରେ ଅଧିକ ଜାଣିବା ପାଇଁ ଲ୍ୟାବ ରିପୋର୍ଟକୁ ଅପେକ୍ଷା କରାଯାଉଛି । ଜେନମ ସ୍ୱିକେନସରେ କୋଭିଡର ଏହି ନୂଆ ଭୁତାଣୁରେ ଗଠନମୂଳକ ପରିବର୍ତନ ଥିବା ଲ୍ୟାବ ରିପୋର୍ଟରେ ଜଣା ପଡିଛି । ତେବେ ଏହାକୁ ଦ୍ରୁତ ସଂକ୍ରାମକ କହି ହେବ ନାହିଁ ବୋଲି ମହାମାରୀ ଓ ସଂକ୍ରାମକ ରୋଗ ବିଶେଷଜ୍ଞ କହିଛନ୍ତି ସମୀରନ ପଣ୍ଡା ।

ଆଫ୍ରିକା ପରେ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ବର୍ତମାନ ସ୍ଥିତିରେ ସତର୍କ ରହିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।  ଦ୍ୱିତୀୟ ଡୋଜର ଦ୍ରୁତ ଟିକାକରଣ ଜରୁରୀ, ଏପରି ହେଲେ ଦେଶର ସଂଖ୍ୟାଧିକ ଲୋକଙ୍କ ଠାରେ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା କରୋନା ମୁକାବିଲାରେ ବଡ ପଦ କ୍ଷେପ ହେବ ବୋଲି କହିଛନ୍ତି ସମୀରନ ପଣ୍ଡା ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପରେ ବ୍ରିଟେନ, ଜର୍ମାନୀ ଓ ଇଟାଲିରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ବିଶ୍ୱ ସମୁଦାୟଙ୍କ ଚିନ୍ତା ବଢାଇ ଦେଇଛି । ବ୍ରିଟେନ ଓ ଜର୍ମନୀରେ ଦୁଇ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଇଟାଲିରେ ଜଣେ ଓମିକ୍ରମ ଭାରିଆଂଟରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭାରିଆଣ୍ଟକୁ ଉଦବେଗଜନ ଶ୍ରେଣୀରେ ରଖିବା ପରେ ବିଭିନ୍ନ ଦେଶରେ ସତର୍କ ସୂଚନା ଜାରି କରାଯାଉଛି ।

ମହାମାରୀର ଦୁଇ ବର୍ଷ ପରେ ଅଣ୍ଟା ସଳଖୁଥିବା ବିଶ୍ୱ ସମୁଦାୟ କରୋନାର ନୂଆ ଷ୍ଟ୍ରେନକୁ ନେଇ ପୁଣି ପ୍ରମାଦ ଗଣିବା ଆରମ୍ଭ କଲେଣି । ଆମେରିକା ଏହି ନୂଆ ଭାରିଆଂଟ୍କୁ ନେଇ ଉଦବେଗ ପ୍ରକାଶ କରିଛି । ନ୍ୟୁୟର୍କ ଗଭର୍ଣ୍ଣର କେଥୀ ହୋକୁଲ ଏନେଇ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଜ୍ୟରେ ବିପର୍ଯ୍ୟୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସେହିପରି ଆଫ୍ରିକାର ୮ଟି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କରିଛି ଆମେରିକା ।

ସେପଟେ ବ୍ରିଟେନରେ ବିଦେଶ ଫେରନ୍ତା ଯାତ୍ରୀଙ୍କୁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ।  ଅଷ୍ଟ୍ରେଲିଆ ଆଫ୍ରିକାର ୮ଟି ଦେଶକୁ ଉଡାଣ ବାତିଲ କରିଛି । ତେବେ ଆଫ୍ରିକାର ଦକ୍ଷିଣାଂଚଳର ୯ଟି ଦେଶରୁ ରହୁଥିବା ଅଷ୍ଟ୍ରେଲିଆ ନାଗରିକ ଦେଶକୁ ଫେରିଲେ ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି ।