ପଡିଥାନ୍ତା ହାତଗଣ୍ଠି, ପଡିଲା ହାତକଡି । ଭାବି ସ୍ୱାମୀଙ୍କୁ ବାନ୍ଧିଲେ ମହିଳା ପୋଲିସ ଏସଆଇ ।

1,019

କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଯାହା ସହ ହାତଗଣ୍ଠି ପଡିଥାନ୍ତା ତାହା ହାତରେ ହାତକଡି ପକାଇଲେ ମହିଳା ପୋଲିସ ଏସଆଇ । ଯାହାକୁ ଜୀବନସାଥୀ କରିଥାନ୍ତେ ତାଙ୍କୁ ଜେଲର ହାୱା ଖୁଆଇଛନ୍ତି । କାରଣ ବିବାହ ପୂର୍ବରୁ ଖୋଲି ଯାଇଥିଲା ଯୁବକଙ୍କ ଅସଲ ମୁଖା । ଆଉ ଯୁବକ ଜଣକ ବାହାରିଥିଲେ ମହାଧୂର୍ତ୍ତ ଠକ ୪୨୦ । ଆଉ ପୂରା ଘଟଣା ଜାଣିବା ପରେ ଭାବି ସ୍ୱାମୀଙ୍କୁ ଗିରଫ କରି ଏବେ ଚର୍ଚ୍ଚାରେ ଆସାମର ଲେଡି ଦବଙ୍ଗ ପୋଲିସ ଏସଆଇ ଜୋନମଣି ରାଭା ।

ଏହି ବହୁଚର୍ଚ୍ଚିତ ମାମଲା ଆସାମର ନଙ୍ଗାବ ଜିଲ୍ଲାରୁ ସାମ୍ନାକୁ ଆସିଛି । ନଙ୍ଗାବ ଥାନାର ମହିଳା ସବ୍ ଇନସପେକ୍ଟର ଜୋନମଣି ରୋଭା ନିଜର ଭାବି ସ୍ୱାମୀ ରାଣା ପୋଗଗଙ୍କୁ ମିଛ ପରିଚୟ ଦେଇ ଲକ୍ଷାଧିକ ଟଙ୍କାର ଠକେଇ ଓ ବିବାହ କରିବା ପାଇଁ ପ୍ରୟାସ ଅଭିଯୋଗରେ ଗିରଫ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ପୂର୍ବରୁ ମାଜୁଲିରେ କାର୍ଯ୍ୟରତ ଥିବା ବେଳେ ୨୦୨୧ରେ ଜୋନମଣିଙ୍କର ରାଣାଙ୍କ ସହ ଭେଟଘାଟ ହୋଇଥିଲା । ସେତେବେଳେ ରାଣା ନିଜକୁ ଓଏନଜିସିର ପିଆରଓ ଭାବେ ପରିଚୟ ଦେଇଥିଲେ । ଆଉ କିଛି ଦିନର ମିଳାମିଶା ଭିତରେ ଜୋନମଣିଙ୍କୁ ବିବାହ କରିବାକୁ ରାଣା ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେତେବେଳେ ରାଣାଙ୍କ ବାବଦରେ ବେଶି କିଛି ଜାଣିପାରିନଥିଲେ ଜୋନମଣି, ଯେଉଁଥିପାଇଁ ରାଣାଙ୍କ ପ୍ରସ୍ତାବୁ ସ୍ୱୀକାର କରି ନେଇଥିଲେ । ପରେ ଉଭୟଙ୍କ ପରିବାର ପରସ୍ପରକୁ ଭେଟିଥିଲେ ଓ ବିବାହ ନେଇ କଥା ଆଗକୁ ବଢିଥିଲା । ୨୦୨୧ ଅକ୍ଟୋବରରେ ଜୋନମଣି ଓ ରାଣାଙ୍କ ମଧ୍ୟରେ ନିର୍ବନ୍ଧ ହୋଇଥିବା ବେଳେ ୨୦୨୨ ନଭେମ୍ବରରେ ବିବାହ ପାଇଁ ତାରିଖ ଧାର୍ଯ୍ୟ ସରିଥିଲା ।

ବିବାହକୁ ଆଉ ଦିନ କେଇଟା ବାକି ଥିବା ବେଳେ ରାଣାଙ୍କ କାର୍ଯ୍ୟଶୈଳୀକୁ ନେଇ ଜୋନମଣିଙ୍କର ସନ୍ଦେହ ଉପୁଜିଥିଲା । ଆଉ ସନ୍ଦେହ ସେତେବେଳେ ସତ ହେଲା ଯେତେବେଳେ ରାଣାଙ୍କ ବାବଦରେ ଅଧିକ ପଚରାଉଚରା କରିଥିଲେ ଜୋନମଣି । ଆଉ ମାଟି ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ରାଣାଙ୍କ ଠକେଇ ସାମ୍ରାଜ୍ୟର ସତ ପଦାକୁ ଆସିଥିଲା । ଓଏନଜିସିର ପ୍ରୋଜେକ୍ଟ ବାବଦକୁ ୩ ଜଣଙ୍କୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚୂନା ଲଗାଇଥିଲା ରାଣା । ଆଉ ଏହି ମାନଙ୍କ ଅଭିଯୋଗ ଅଧାରରେ ନଙ୍ଗାବ ଥାନାରେ ଏକ ମାମଲା ରୁଜୁ କରି ରାଣାଙ୍କୁ ଗିରଫ କରିଥିଲେ ଜୋନମଣି । ଆଉ ଗିରଫ ସମୟରେ ରାଣାଙ୍କ ଠାରୁ ବିଭିନ୍ନ ବ୍ୟାଙ୍କର ପାସବୁକ, କିଛି କମ୍ପାନିର ସିଲ ଓ ଏଟିଏମ କାର୍ଡ ଜବତ କରିଥିଲା ପୋଲିସ । ଆଉ ସବୁଠୁ ବଡ କଥା ହେଲା, ବଡ ଲୋକ ଠାଣି ଦେଖାଇବାକୁ ରାଣା ଏକ ଏସୟୁଭି ଗାଡି ଭଡାରେ ନେଇଥିବା ବେଳେ ନିଜସ୍ୱ ସୁରକ୍ଷାକର୍ମୀ ଓ ଡ୍ରାଇଭର ରଖିଥିଲେ । ଆଉ ଏଭଳି କରି ନିଜକୁ ଉଚ୍ଚପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଉଥିଲେ ରାଣା । ଯାହାର ପର୍ଦ୍ଦାଫାଶ କରିଛନ୍ତି ଜୋନମଣି ।

ତେବେ ଏନେଇ ଜୋନମଣି କହିଛନ୍ତି, ରାଣା ବାବଦରେ ସବୁ ସତ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନେଇଥିଲୁ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବି ଯେ ଠିକ ସମୟରେ ଏହି ଧୂର୍ତ୍ତ ବାବଦରେ ସତ ଜାଣିପାରିଲି । ରାଣାଙ୍କୁ ଗିରଫ କରିଥିବାରୁ କିଛି ପଶ୍ଚାତାପ କରୁନାହିଁ । କିନ୍ତୁ ଏକଥା କହି ରଖୁଛି, ଯିଏ ବି ଭୁଲ କାମ କରିବ ମୁଁ ତାଙ୍କୁ ଛାଡିବି ନାହିଁ, ସେ ମୋ ପରିବାରର ସଦସ୍ୟ ହୋଇଥାଆନ୍ତୁ ନା କାହିଁକି? ଏହାପୂର୍ବରୁ ମଧ୍ୟ ଜୋନମଣି ଗତ ଜାନୁଆରୀ ମାସରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ଆସାମର ଜଣେ ବିଧାୟକଙ୍କ ସହ ତାଙ୍କର ବାର୍ତ୍ତାଳପ ଭାଇରାଲ ହୋଇଥିଲା । ଯେଉଁଥିରେ ବିଧାୟକଙ୍କୁ ଆଇନର ପାଠ ପଢାଇଥିଲେ ଜୋନମଣି । ନିର୍ବାଚିତ ପ୍ରତିନିଧି ହୋଇ ସୁଦ୍ଧା ପୋଲିସକୁ ଆଇନ ଉଲ୍ଲଂଘନ କରିବାକୁ କାହିଁକି ଚାପ ପକାଉଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ ଜୋନମଣି । ଆଉ ଏବେ ଜୋନମଣି ନିଜର ଭାବି ସ୍ୱାମୀଙ୍କୁ ଗିରଫ କରି ବାର୍ତ୍ତା ଦେଇଛନ୍ତି ଯେ, ଆଇନର ଉଦ୍ଧ୍ୱର୍ରେ କେହି ବି ନୁହଁନ୍ତି । ସିଏ ଯିଏ କେହି ହୁଅନ୍ତୁ ନା କାହିଁକି?