ଟିମ୍ ଇଣ୍ଡିଆରେ ସବୁ କିଛି ଠିକ୍ ଚାଲିଛି ତ? କାହିଁକି ଉଠିଲା ଏଭଳି ପ୍ରଶ୍ନ, କଣ କହିଲେ ସୁନୀଲ ଗାଭାସ୍କର?

520

କନକ ବ୍ୟୁରୋ : ଟିମ୍ ଇଣ୍ଡିଆରେ ସବୁକିଛି ଠିକ୍ ଚାଲିଛି ତ? ଉପରକୁ ସବୁ ଠିକ୍ ଲାଗୁଥିଲେ ମଧ୍ୟ ଡ୍ରେସିଂ ରୁମର ମାହୋଲ ପୂରା ଠିକ୍ ଅଛି ତ? ଏଭଳି ପ୍ରଶ୍ନ ଉଠିବା ପଛର ସବୁଠୁ ବଡ କାରଣ ହେଲା ଅଶ୍ୱିନୀଙ୍କ ବୟାନ । ଯାହାକୁ ବଳ ଯୋଗାଇଛି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ପ୍ରତିକ୍ରିୟା । ସୁନୀଲ କହିଛନ୍ତି, ଯଦି ଟିମ ଇଣ୍ଡିଆର ଡ୍ରେସିଂ ରୁମରେ ସବୁକିଛି ଠିକ୍ ଚାଲିନି ତେବେ ଏହା ବେଶ ଦୁଃଖଦାୟକ ।

ଗତମାସ ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲା ପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଥିଲା । ସେତେବେଳେ ଭାରତୀୟ ସ୍ପିନର ଆର୍ ଅଶ୍ୱିନୀ କହିଥିଲେ, ପୂର୍ବରୁ ଡ୍ରେସିଂ ରୁମରେ ଖେଳାଳୀ ମାନେ ସାଙ୍ଗ ଭଳି ରହୁଥିଲେ ଏବେ କିନ୍ତୁ କେବଳ ସହକର୍ମୀ ଭଳି ରହୁଛନ୍ତି । ଅଶ୍ୱିନୀଙ୍କ ଏଭଳି ବୟାନ ଦର୍ଶାଇଥିଲା ଯେ, ଭାରତୀୟ ଡ୍ରେସିଂ ରୁମରେ ସବୁକିଛି ଠିକ୍ ନାହିଁ ।

ଅନ୍ୟପଟେ ସୁନୀଲ ଗାଭାସ୍କର କହିଛନ୍ତି, ଏହା ଆଦୌ ଭଲ ଖବର ନୁହେଁ । ଖେଳ ଶେଷ ହେବା ପରେ ମଧ୍ୟ ଖେଳାଳୀଙ୍କୁ ସାଥୀରେ ରହିବାର ଆବଶ୍ୟକତା ରହିଛି । ସେତେବେଳେ ଆପଣ ଖେଳ ବାବଦରେ କଥା ନହୋଇ ପାରନ୍ତି କିନ୍ତୁ ଗୀତ, ଫିଲ୍ମ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗ ଯେଉଁଥିରେ ଆପଣଙ୍କର ରୁଚି ରହିଥାଏ ସେ ବାବଦରେ ଆଲୋଚନା କରି ନିଜ ଭିତରେ ଥିବା ସମ୍ପର୍କକୁ ଆହୁରି ଦୃଢ କରିବା କଥା । କିନ୍ତୁ ଏଭଳି ଯଦି ନ ହେଉଛି ତେବେ ଏହା ସମ୍ପୂର୍ଣ୍ଣ ନିରାଶଜନକ ଖବର । ସୁନୀଲ କହିଛନ୍ତି, ୨୦ ବର୍ଷ ପୂର୍ବରୁ ମଧ୍ୟ ଏଭଳି ହୋଇଥିଲା । ୨୦ ବର୍ଷ ପୂର୍ବେ ଖେଳାଳୀଙ୍କୁ ଭିନ୍ନ ଭିନ୍ନ ରୁମ ମିଳିଥିଲା । ଭିନ୍ନ ରୁମ ମିଳିବା କାରଣରୁ ଖେଳାଳୀଙ୍କ ମଧ୍ୟରେ ସେ ବନ୍ଧୁତା ରହୁନଥିବା କହିଛନ୍ତି ସୁନୀଲ ।