ଇଟାନଗର ନାହାରଲଗୁନରେ ଭୟାନକ ଅଗ୍ନିକାଣ୍ଡ, ଜଳିଗଲା ୭ ଶହରୁ ଅଧିକ ଦୋକାନ

119

କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ଦେଖିବାକୁ ମିଳିଛି ଭୟାନକ ଅଗ୍ନିକାଣ୍ଡ । ଇଟାନଗର ନାହାରଲଗୁନ ଠାରେ ଅଗ୍ନିକାଣ୍ଡ ଘଟି ୭୦୦ ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ କାହାର ଜୀବନ ଯାଇଥିବା ନେଇ କୌଣସି ସୂଚନା ମିଳିପାରି ନାହିଁ ।

ସୂଚନା ମୁତାବକ ଏହି ବଜାର ଦୁଇଟି ଦୋକାନରେ ପ୍ରଥମେ କୌଣସି କାରଣରୁ ନିଆଁ ଲାଗଯାଇଥିଲା । ହେଲେ ଏହି ନିଆଁ ଏତେ ଭୟଙ୍କର ରୂପ ନେଇଥିଲା କି, ଆଖି ପିଛୁଳାକେ ପୁରା ବଜାରର ସମସ୍ତ ଦୋକାନକୁ ବ୍ୟାପି ଯାଇଥିଲା । ଦମକଳବାହୀନି ଘଟଣା ସ୍ଥଳରେ ପହଂଚି ଶତ ଚେଷ୍ଟା କରିଥିଲେ ବି ନିଆଁକୁ ଆୟତ କରିବାରେ ସଫଳ ହୋଇପାରି ନଥିଲା ।

ରାଜଧାନୀ ଇଟାନଗରରୁ ୧୪ କିଲୋମିଟର ଦୂରରେ ରହିଛି ଅରୁଣାଚଳ ପ୍ରଦେଶରର ସବୁଠାରୁ ପୁରୁଣା ସହର ନାହାରଲଗୁନ । ଏହି ସହରକୁ ଲାଗି ରହିଛି ପୋଲିସ ପୋଷ୍ଟ ଓ ଦମକଳ କେନ୍ଦ୍ର । ପୋଲିସର ସୂଚନା ମୁତାବକ ପ୍ରଥମେ ୩ ଟି ଦମକଳ ଗାଡି ଏହି ନିଆଁକୁ ଆୟତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଏପଟେ ଏହି ଅଗ୍ନିକାଣ୍ଡରେ କେତେ ସମ୍ପତ୍ତି ନଷ୍ଟ ହୋଇଛି ତାହାର ଆକଳନ କରାଯାଇ ନାହିଁ ।

ନାହରଲଗୁନ ଡେଲି ମାର୍କେଟରେ ଆଜି ସକାଳେ ଏଭଳି ଅଗ୍ନିକାଣ୍ଡ ଘଟିଥିଲା । ପୋଲିସ ଅନୁମାନ କରୁଛି ଯେ ଗତକାଲି ରାତିରେ ଯେଉଁ ବାଣ ଫୁଟାଯାଇଥିଲା ତାହା ଦ୍ୱାରା ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ । ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା କଥା କହିଛି ପୋଲିସ ।