ଧାମରା-ଅନୁଗୁଳ ପ୍ରାକୃତିକ ଗ୍ୟାସ ପାଇପ ଲାଇନର ପଡିଲା ଭିତ୍ତିପ୍ରସ୍ତର ।  ୧୦ଟି ଜିଲ୍ଲାର ଘରେ ଘରେ ପହଁଚିବ ପାଇପ ଯୋଗେ ଗ୍ୟାସ । 

36
କନକ ବ୍ୟୁରୋ : ରାଜ୍ୟରେ ପ୍ରାକୃତିକ ଗ୍ୟାସ ପାଇପ ବିଛାଇବା କାମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧାମରା- ଅନୁଗୁଳ ୩୬ ଇଂଚ ମୁଖ୍ୟ ପାଇପ୍ ଲାଇନ୍ ପକାଇବା କାମ ଆରମ୍ଭ ହେବ । ପରେ ଏଠାରୁ ୧୨ ଇଂଚ ପାଇପ କଟକ ଓ ଭୁବନେଶ୍ୱରକୁ ସଂଯୋଗ ହେବ । ସେହିପରି ଯାଜପୁରରୁ ପାରାଦୀପ ପର୍ଯ୍ୟନ୍ତ ୧୨ ଇଂଚ ପାଇଁ ପକାଯିବ । ଏହି ତିନିଟି ପାଇପ୍ ଲାଇନ୍ ପାଇଁ ପ୍ରାୟ ୬ ହଜାର କୋଟି ଟଙ୍କାର ବିନିଯୋଗ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହା ସହ ରାଜ୍ୟ ସରକାର ସହଯୋଗ କଲେ ରାଜ୍ୟର ବିକାଶ ଅଧିକ ତ୍ୱରାନ୍ୱିତ ହେବ ବୋଲି ମଧ୍ୟ ସେ କହିଛନ୍ତି । ଓଡିଶା ସରକାର ପାଦେ ଚାଲିଲେ ମୋଦି ସରକାର ୩ ପାଦ ଚାଲିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ପାଇପ୍ ଲାଇନ୍ ସଂଯୋଗ ଯୋଗୁଁ ରାଜ୍ୟର ୧୦ଟି ଜିଲ୍ଲା ଲାଭ ପାଇବେ । ମୋଟ ୭୬୯ କିଲୋମିଟର ଗ୍ୟାସ ଲାଇନ ବିଛାଯିବ ଏବଂ ପ୍ରାୟ ୫୦ ହଜାର ପରିବାର ସିଏନଜି ଗ୍ୟାସ ପାଇବେ ବୋଲି ଜଣାପଡିଛି ।
ଓଡିଶାର ବିକାଶରେ ସହଭାଗୀ ହେବା ପାଇଁ ଟାଟା କମ୍ପାନୀକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଖଣିଜକୁ ବ୍ୟବହାର କରି ଟାଟା ଲାଭ ପାଇଛି, ଏବେ ଓଡିଶାରେ ନିଜର ଉତ୍ପାଦନ ଆରମ୍ଭ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଏଠାରୁ ଟାଟା ଟ୍ରକ୍ ପରି କାରଖାନା ବସିଲେ ଆଖପାଖ ଅଂଚଳରେ ଅନ୍ୟ ଛୋଟ ଛୋଟ କମ୍ପାନୀ ଗଢି ଉଠିବ । ଫଳରେ ଓଡିଆ ଯୁବକ ଆତ୍ମନିର୍ଭରଶୀଳ ହୋଇପାରିବ ଏବଂ ନିଯୁକ୍ତି ସୁଯୋଗ ବଢିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।