ପର୍ଯ୍ୟଟନସ୍ଥଳୀ ଖୋଲିଲାଣି, କିନ୍ତୁ ଅଂଶୁପା ବନ୍ଦ । ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ ।

145

କନକ ବ୍ୟୁରୋ : କୋଭିଡ କଟକଣା ଭିତରେ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କଟକ ଜିଲ୍ଲା ବାଙ୍କୀରେ ଥିବା ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଅଂଶୁପା ଏବେ ସୁଦ୍ଧା ଖୋଲା ଯାଇପାରିନାହିଁ । ଫଳରେ ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି । ସେପଟେ ରକ୍ଷଣାବେକ୍ଷଣ ଅଭାବରୁ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବାମ୍ବୋ କଟେଜ ଗୁଡିକ ଭାଙ୍ଗି ଗଲାଣି ।

ରାଜ୍ୟର ଅନେକ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଅନ୍ୟତମ ଅଶୁଂପା ହ୍ରଦ । କଟକ ଜିଲ୍ଲାର ବାଙ୍କୀରେ ଅବସ୍ଥିତ ଏସିଆର ଦ୍ୱିତୀୟ ବୃହତ୍ତମ ମଧୁର ଜଳ ହ୍ରଦ ଭାବରେ ଅଶୁଂପା ଜଣାଶୁଣା । କୋଭିଡ କଟକଣା ପାଇଁ ଦେଢ ବର୍ଷ ଧରି ଏହି ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଥିଲା । ଏବେ ରାଜ୍ୟ ସରକାର ସବୁ ପର୍ଯ୍ୟଟନସ୍ଥଳୀ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ହେଲେ ଅଂଶୁପା ଏବେ ବି ଖୋଲା ଯାଇନାହିଁ । ଫଳରେ ଦୂରଦୂରାନ୍ତରରୁ ଆସୁଥିବା ପର୍ଯ୍ୟଟକ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି ।

ଗୋଟିଏ ପଟେ ପର୍ଯ୍ୟଟକ ନିରାଶ ହୋଇ ଫେରୁଥିବା ବେଳେ ଅନ୍ୟପଟେ ଅଂଶୁପାରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ବାମ୍ବୋ କଟେଜର ଅବସ୍ଥା ଦିନକୁ ଦିନ ଖରାପ ହେଉଛି । ରକ୍ଷଣାବେକ୍ଷଣ ଅଭାବରୁ କଟେଜ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ଦୁଇ ଏକର ପରିମିତ ଅଶୁଂପାର ପାର୍କର ଦାୟିତ୍ୱ ମାତ୍ର ୨ଜଣ ମାଳିଙ୍କ ଉପରେ ନ୍ୟସ୍ତ କରାଯାଇଛି । ଫଳରେ ସଠିକ୍ ଢଙ୍ଗରେ ଦେଖାଶୁଣା ହୋଇ ପାରୁନାହିଁ । ସେପଟେ ଅଂଶୁପା ହ୍ରଦରେ ନୈା-ବିହାର ପାଇଁ ରଖାଯାଇଥିବା ବୋଟ୍ ଗୁଡିକ ମଧ୍ୟ ନଷ୍ଟ ହୋଇଗଲାଣି । ଖୁବଶୀଘ୍ର ଏହି ପର୍ଯ୍ୟଟନସ୍ଥଳୀକୁ ଖୋଲିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।