ପ୍ରବଳ ବିରୋଧ ପରେ ଇଣ୍ଡୋନେସିଆ ସେନାର ମହିଳା କ୍ୟାଡେଟଙ୍କୁ ଆଶ୍ୱସ୍ତି, ସେନା ବନ୍ଦ କଲା କୁମାରୀତ୍ୱ ପରୀକ୍ଷା

186

କନକ ବ୍ୟୁରୋ : ବହୁ ବାଦ ବିବାଦ ଓ ପ୍ରବଳ ବିରୋଧ ପରେ ଇଣ୍ଡୋନେସିଆ ସେନାରେ ମହିଳା କ୍ୟାଡେଟଙ୍କ ପାଇଁ ପ୍ରଚଳିତ ଥିବା କୁମାରୀତ୍ୱ ପରୀକ୍ଷା ପ୍ରକ୍ରିୟାକୁ ହଟାଇ ଦିଆଯାଇଛି । ବିଭିନ୍ନ ମହଲରୁ ଏହି ନିୟମକୁ ବିରୋଧ କରାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ଇଣ୍ଡୋନେସିଆ ସେନା । ଏନେଇ ଇଣ୍ଡୋନେସିଆ ସେନା ମୁଖ୍ୟ ଏଣ୍ଡିକା ପରକେସା ସ୍ପଷ୍ଟ କରିଛନ୍ତି ।

ସୂଚନା ଥାଉକି ଇଣ୍ଡୋନେସିଆ ସେନାରେ ଅନେକ ବର୍ଷ ହେବ ଏଭଳି ଏକ ନିୟମ ପ୍ରଚଳିତ ହୋଇଆସୁଥିଲା । ଏହି ନିମୟ ମୁତାବକ ସେନାରେ ଯୋଗଦେବାକୁ ଚାହୁଁଥିବା ମହିଳା ପ୍ରାର୍ଥୀମାନଙ୍କର ସମସ୍ତ ପରୀକ୍ଷା ସହ ସେମାନଙ୍କ କୁମାରୀତ୍ୱ ବି ପରୀକ୍ଷା କରାଯାଉଥିଲା । ଏହି ନିୟମକୁ ନେଇ ଇଣ୍ଡୋନେସିଆ ସେନା ଯୁକ୍ତି ରଖୁଥିଲା କି ପ୍ରାର୍ଥୀମାନଙ୍କର ନୈତିକତା ନିଶ୍ଚିନ୍ତ କରିବାକୁ ଏଭଳି ପରୀକ୍ଷା କରାଯାଉଛି ।

ତେବେ ଏଭଳି ଅଜବ ନିୟମ ବିରୋଧରେ ଇଣ୍ଡୋନେସିଆର ଜନସାଧାରଣ ସହିତ ଅନ୍ତର୍ଜାତୀୟ ସ୍ତରରେ ବିରୋଧ ଜାରି ରହିଥିଲା । ଏହି ବିରୋଧକୁ ସମ୍ମାନ ଜଣାଇ ସେନା ପକ୍ଷରୁ ଏଭଳି ପରୀକ୍ଷା ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଭଳି ନିୟମ ସଂପର୍କରେ ନ୍ୟୁୟର୍କ ଭିତ୍ତିକ ମାନବ ଅଧିକାର ସଂସ୍ଥା ହ୍ୟୁମାନ ରାଇଟ୍ ୱାଚ୍ ପକ୍ଷରୁ ୨୦୧୪,୨୦୧୫ ଓ ୨୦୧୭ ରେ ତଦନ୍ତ କରାଯିବା ପରେ ଏହାକୁ ବନ୍ଦ କରିବାକୁ ଦାବି କରାଯାଇଥିଲା ।

ଅନ୍ୟପଟେ ଏଭଳି ଯାଂଚ ହେଉନାହିଁ ବୋଲି ସ୍ପଷ୍ଟ କରିଛି ଇଣ୍ଡୋନେସିଆ ନୌସେନା । ନୌସେନା ପକ୍ଷରୁ କୁହାଯାଇଛି କି ପ୍ରର୍ଥୀମାନଙ୍କୁ ନିଯୁକ୍ତି ଦେବା ବେଳେ କେବଳ ମହିଳା ପ୍ରାର୍ଥୀମାନଙ୍କର ଗର୍ଭ ପରୀକ୍ଷା କରାଯାଇଥାଏ କିନ୍ତୁ କୁମାରୀତ୍ୱ ପରୀକ୍ଷା କରାଯାଉ ନାହିଁ ।