ଟ୍ରାକ୍ ଆଣ୍ଡ ଫିଲ୍ଡରେ ଭାରତକୁ ଆଉ ଏକ ପଦକ, ୧୦ ହଜାର ମିଟର ଚାଲିରେ ପ୍ରିୟଙ୍କାଙ୍କୁ ରୌପ୍ୟ।

78

କନକ ବ୍ୟୁରୋ: ଭାରତୀୟ ଆଥଲେଟ୍ ପ୍ରିୟଙ୍କା ଗୋସ୍ୱାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ରୌପ୍ୟପଦକ ହାତେଇଛନ୍ତି । ଦଶ ହଜାର କିମି ଚାଲିରେ ଶନିବାର ସେ ଦ୍ୱିତୀୟ ସ୍ଥାନରେ ରହି ପଦକ ଜିତିଛନ୍ତି । ବର୍ମିଙ୍ଘମରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରାକ ଆଣ୍ଡ ଫିଲ୍ଡ ଭାରତ ବର୍ତ୍ତମାନ ସୁଦ୍ଧା ୩ଟି ପଦକ ଜିତିସାରିଛି ।

ପ୍ରିୟଙ୍କା ବ୍ୟକ୍ତିଗତ ରେକର୍ଡ ସହ ୪୯ ମିନିଟ ୩୮ ସେକେଣ୍ଡରେ ଦଶ ହଜାର କିମି ଚାଲି ଶେଷ କରିଥିଲେ । ପୂର୍ବରୁ ଟ୍ରାକ ଆଣ୍ଡ ଫିଲ୍ଡରେ ଭାରତ ଦୁଇଟି ପଦକ ପାଇଥିଲା । ମୁରଲି ଶ୍ରୀଶଙ୍କର ଲମ୍ବ ଡିଆଁରେ ରୌପ୍ୟ ପଦକ ପାଇଥିବା ବେଳେ ତେଜସ୍ୱିନ ଶଙ୍କର ହାଇଜମ୍ପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ପ୍ରିୟଙ୍କା ଚାଲିର ପ୍ରଥମ ଭାଗରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ୪ କିମି ଚାଲିଶେଷ ହେବା ପରେ ସେ ପ୍ରଥମ ସ୍ଥାନରେ ରହିଥିଲେ । ଏହା ସହ ୮ କିମି ପରେ ସେ ତୃତୀୟ ସ୍ଥାନରେ ରହିଥିଲେ । ତେବେ ଶେଷ ୨ କିମିରେ ନିଜର ଶ୍ରେଷ୍ଠ ଟାଇମିଂ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାସଲ କରିଛନ୍ତି ।