ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା । ଚୋରି ଅଭିଯୋଗରେ ଦୁଇ ମହିଳାଙ୍କୁ ଉଲଗ୍ନ କରାଇ ଟଣାଓଟରା କରୁଥିବାର ଭିଡିଓ ହେଲା ଭାଇରାଲ

331

କନକ ବ୍ୟୁରୋ : ମଣିପୁର ପରେ ପଶ୍ଚିମବଙ୍ଗରୁ ଆସିଛି ଲଜ୍ଜାଜନକ ଘଟଣା । ଦୁଇ ମହିଳାଙ୍କୁ ଉଲଗ୍ନ କରି ଟଣାଓଟରା କରିଛନ୍ତି ମହିଳା ଗୋଷ୍ଠୀ । ଚୋରି ପାଇଁ ମାଲଦାରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ମମତା ସରକାରଙ୍କୁ ଘେରିଛି ବିଜେପି । ଶୁକ୍ରବାର ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ନିଜ ଟ୍ୱିଟର ଆକାଉଣ୍ଟରେ ଏହାର ଭିଡିଓ ପୋଷ୍ଟ କରିଥିଲେ । ଆଉ ଘଟଣାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ ମଧ୍ୟ କରିଛନ୍ତି । କହିଛନ୍ତି, ମଣିପୁର ଭଳି ସ୍ଥିତି ପଶ୍ଚିମବଙ୍ଗରେ ଉପୁଜିଛି । ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହିଂସା ପାଇଁ ସେ ମମତା ବାନାର୍ଜୀ ଏବଂ ରାଜ୍ୟର ଶାସକ ଟିଏମସି ବିରୋଧରେ ବର୍ଷିଛନ୍ତି ।

ସେପଟେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ ମଧ୍ୟ ଘଟଣାକୁ ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି । ଆଉ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନଉଠାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଘଟଣାଟି ହେଉଛି ଜୁଲାଇ ୧୯ ତାରିଖ ସକାଳର । ଯେଉଁ ମହିଳାଙ୍କୁ ଭିଡ଼ ଭିତରେ ମାଡ଼ ମରାଯାଇଛି, ସେ ହେଉଛନ୍ତି ଜଣେ ଦଳିତ । ଘଟଣାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ଘଟଣାକୁ ରାଜନୀତିକରଣ ନକରିବାକୁ କହିଛନ୍ତି ଟିଏମସି ନେତ୍ରୀ ଶଶି ପାଂଜା । କହିଛନ୍ତି, ଘଟଣାରେ ପୋଲିସ ତଦନ୍ତ କରୁଛି ।

ସେପଟେ ମଣିପୁର ଘଟଣାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଣିପୁର ହିଂସା ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରୁଛନ୍ତି, କିନ୍ତୁ ମଣିପୁର ଯାଇପାରୁନାହାନ୍ତି । ଯଦି ପ୍ରଧାନମନ୍ତ୍ରୀ ମଣିପୁର ଯାଇପାରୁନାହାନ୍ତି, ତାହେଲେ ଏକ ବୈଠକ ଡାକି ମାମଲା ଉପରେ ସମୀକ୍ଷା କରିବା ଦରକାର । ସେହିପରି ଉଦ୍ଧବ ଗୋଷ୍ଠୀ ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଣିପୁର ସରକାର ଉପରେ ବର୍ଷିଛନ୍ତି । ବିଜେପି ମଧ୍ୟ ଏହାର ଜବାବ ରଖିଛି ।

ମଣିପୁର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ୧୯ ବର୍ଷୀୟ ୟୁମଲେମବାମ ନୁଙ୍ଗସିଥୋଇ ମେତେଇ । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ୫ରେ ପହଂଚିଛି ।