ଗଣମାଧ୍ୟମ ପ୍ରତିନିଧିରୁ ଜୈବିକ ସାର ଉତ୍ପାଦକ । ବର୍ଷକୁ ଉତ୍ପାଦନ ହେଉଛି ୧୦୦ ଟନ୍ ଜିଆ ଖତ

63

କନକ ବ୍ୟୁରୋ : ଗଣମାଧ୍ୟମ ପ୍ରତିନିଧିରୁ ସଫଳ ଜୈବିକ ସାର ଉତ୍ପାଦକ । ଜିଆ ଖତ ପ୍ରସ୍ତୁତ କରି କରୁଛନ୍ତି ରୋଜଗାର । ଜିଲ୍ଲା ତଥା ଜିଲ୍ଲା ବାହାରକୁ ଜୈବିକ ସାର ରପ୍ତାନୀ କରୁଛନ୍ତି ନବରଙ୍ଗପୁର ଝରିଗାଁ ବ୍ଲକର ଜିତେନ୍ଦ୍ର ମହାରଣା । ସାମ୍ବାଦିକତା କରୁଥିବା ସମୟରେ ଚାଷୀଙ୍କ ଆବଶ୍ୟକତା ଓ ରାସାୟନିକ ସାର ପ୍ରୟୋଗ ଯୋଗୁଁ ମାଟି ଉପରେ ପଡ଼ୁଥିବା କୁପ୍ରଭାବ ତାଙ୍କୁ ପ୍ରଭାବିତ କରିଥିଲା । ଜୈବିକ ସାର ଅଭାବକୁ ଅନୁଭବ କରି ସେ ନିଜର ଏକ ପ୍ଲାଣ୍ଟ କରିବାକୁ ମନସ୍ତ କରିଥିଲେ । ପ୍ରଥମେ ପରୀକ୍ଷାମୂଳକ ଭାବେ କିଚେନ ଗାର୍ଡେନ ପାଇଁ ମଧ୍ୟପ୍ରଦେଶରୁ ଜିଆ ଆଣି ଘର ପଛପଟେ ଥିବା ଖାଲି ସ୍ଥାନରେ ମାତ୍ର ୨ହଜାର ଟଙ୍କା ଖର୍ଚ୍ଚ କରି ଜିଆ ଖତ ଉତ୍ପାଦନ ଆରମ୍ଭ କରିିଥିଲେ । ୫ବର୍ଷ ପରେ ଏବେ ପ୍ରତି ବର୍ଷ ୧୦୦ ଟନ୍ ଜିଆ ଖତ ଉତ୍ପାଦନ କରୁଛନ୍ତି ଜିତେନ୍ଦ୍ର । ବର୍ଷକୁ ଜିଆଖତର କାରବାର ୨୦ ଲକ୍ଷ ଟଙ୍କାକୁ ପହଞ୍ଚିଛି । ଯାହା ତାଙ୍କୁ ବେଶ ଲାଭ ଦେଉଛି ।

ଜିଆ ଖତରେ ୯୦ ପ୍ରତିଶତ ଦେଶୀ ଗାଈ ଗୋବର ଓ ୧୦ ପ୍ରତିଶତ କୁଟା କାଠି ଓ ଶୁଖିଲା ଡାଳପତ୍ରକୁ କଞ୍ଚା ମାଲ ଭାବେ ବ୍ୟବହାର କରାଯାଉଛି । ଏଥିପାଇଁ ଲୋକଙ୍କ ଠାରୁ ଦେଶୀଗାଈ ଗୋବର ଟ୍ରାକ୍ଟର ପିଛା ସାଢ଼େ ୩ ହଜାର ଟଙ୍କାରେ ଗାଁ ଗାଁ ବୁଲି କିଣୁଛନ୍ତି ଜିତେନ୍ଦ୍ର । ୟୁଟ୍ୟୁବ୍ରୁ ଏହାର ପ୍ରଣାଳୀ ଆପଣାଇ ନିଜେ ସ୍ୱାବଲମ୍ବୀ ହେବା ସହ ୪ରୁ ୫ ଜଣ କର୍ମଚାରୀଙ୍କୁ ରୋଜଗାର ଦେଇଛନ୍ତି ଜିତେନ୍ଦ୍ର । ଏହା ସହ ଦେଶୀ ଗାଈ ମାଲିକଙ୍କଙ୍କୁ ମଧ୍ୟ ବେଶ୍ ଦୁଇ ପଇସା ମିଳିପାରୁଛି । କେଜିକିଆ ପ୍ୟାକେଟ ଠାରୁ ଆରମ୍ଭ କରି ୨୫ କିଲୋର ବସ୍ତା ପ୍ୟାକିଂ କରି ଏହାକୁ ବଜାରରେ ବିକ୍ରି କରାଯାଉଛି । ଚାଷୀମାନେ ଏହି ସାରକୁ ବ୍ୟବହାର କରି ଲାଭବାନ ହେଉଛନ୍ତି । ନବରଙ୍ଗପୁର ସମେତ କୋରାପୁଟ, କଳାହାଣ୍ଡି,ବଲାଙ୍ଗୀର, ନୂଆପଡ଼ା ଓ ଛତିଶଗଡ଼ ଜିଲ୍ଲାକୁ ରପ୍ତାନୀ ହେଉଛି ଏହି ସାର ।

ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଜୈବିକ ଚାଷ ପ୍ରତି ପ୍ରେରଣା ଯୋଗାଇଛନ୍ତି ଯୁବ ଉଦ୍ୟୋଗୀ ଜିତେନ୍ଦ୍ର । ନବରଙ୍ଗପୁର ଜିଲ୍ଳାର ପ୍ରତି ବର୍ଷ ରାସାୟନିକ ସାରର ଅଭାବକୁ ଦୂର କରିବା ସହ କୃଷି କ୍ଷେତ୍ରରେ ନୁଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ଜିତେନ୍ଦ୍ର ମହାରଣା । ତାଙ୍କର ଏଭଳି କାମ ପାଇଁ ବୁଦ୍ଧଜୀବୀ ମହଲରେ ଜିତୁଙ୍କୁ ପ୍ରଶଂସା କରାଯାଉଛି ।