ଜନ୍ମଦିନରେ ବିଜୁବାବୁଙ୍କ ଗାଁରେ ପୁତୁରା ପାଳିଲେ ଜୟନ୍ତୀ। ଆଜି ବି ଅବହେଳିତ ହୋଇପଡିରହିଛି ଗାଁ। 

465

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ର ନୂଆଗାଁ । ଏହି ଗାଁରେ କଟିଥିଲା ବିଜୁ ବାବୁଙ୍କ ପିଲାଦିନ । ବିଜୁ ବାବୁ ଯେତେବେଳେ ଗାଁକୁ ଆସୁଥିଲେ ଦୋଳିରେ ଖେଳୁଥିଲେ । କୂଅରୁ ପାଣି ବାହାର କରି ଗାଧୋଉଥିଲେ । ହେଲେ ବିଜୁବାବୁଙ୍କ ଗାଁ ଏବେ ଯେମିତି ଅଲୋଡ଼ା ହୋଇଯାଇଛି । ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀରେ ପୁତୁରା ପ୍ରମୋଦ କୁମାର ପଟ୍ଟନାୟକ, ପରିବାର ସହ ମିଶି ବିଜୁବାବୁଙ୍କ ଜୟନ୍ତୀ ପାଳନ କରିଛନ୍ତି ।

ଗାଁକୁ ନା ରହିଛି ଭଲ ରାସ୍ତା ଖଣ୍ଡେ, ନା’ ଉପଲବ୍ଧ ହେଉଛି ସାମାନ୍ୟ ସୁବିଧା-ସୁଯୋଗ । ଏଭଳି ସ୍ଥିତିରେ ବିଜୁ ବାବୁଙ୍କ ଗାଁକୁ ବିକାଶ ସହ ଯୋଡ଼ିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏମିତି କି ବିଜୁ ବାବୁଙ୍କ ଗାଁରେ ଏକ ସଂଗ୍ରହାଳୟ କରିବାକୁ ଦାବି କରିଛନ୍ତି ।

ଯାହାଙ୍କୁ ନେଇ ସାରା ଓଡ଼ିଶା ଗର୍ବ କରୁଛି । ଯାହାଙ୍କ ସାହାସିକତା କାହାଣୀ କୋଟି କୋଟି ଓଡ଼ିଆଙ୍କୁ ପ୍ରେରଣା ଦେଉଛି । ତାଙ୍କ ସ୍ମୃତି ବହନ କରୁଥିବା ଗାଁରେ ଏକ ରାଜ୍ୟସ୍ତରୀୟ ସଂଗ୍ରହାଳୟଟିଏ କରିବାରେ ହୁଏତ କେବଳ ଆନ୍ତରିତାର ଅଭାବ ରହୁଛି ।