ମାଣ୍ଡିଆ ଦେଉଛି ରୋଜଗାର । ମିଲେଟ୍ ମିଶନ ହେବା ପରେ ଏବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ିଛି

478

କନକ ବ୍ୟୁରୋ : ମାଣ୍ଡିଆ ଦେଉଛି ରୋଜଗାର । ମିଲେଟ୍ ମିଶନ ହେବା ପରେ ଏବେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ିଛି । ଗାଁଠୁ ସହର ସବୁଠି ମିଳୁଛି ମାଣ୍ଡିଆ ଖାଦ୍ୟ । ମାଣ୍ଡିଆରେ ମଧ୍ୟ ବିଭିନ୍ନ ପ୍ରକାରର ଟିଫିନ୍ ମିଳୁଛି । ଯେମିତିକି ମାଣ୍ଡିଆରୁ ପ୍ରସ୍ତୁତ ମୋମୋସ୍, କାକରା ପିଠା, ଢୋକଲା, ଲଡୁ, ମଣ୍ଡାପିଠା, ବରା, ଆଳୁଚପ, ନିମକି, ମିକ୍ସଚର ଓ ମାଣ୍ଡିଆ ଚା’ । ଏସଚଜି ମହିଳା ମାନେ ଏହି ଖାଦ୍ୟ ପ୍ରସ୍ତୁତ କରି ବେଶ ଭଲ ରୋଜଗାର କରିପାରୁଛନ୍ତି । ତେବେ ମାଲକାନଗିରି ମାଥିଲି ଅଂଚଳର ମା’ ନଡିଆରାଣି ପି.ଜି. ଏସଏଚଜିର ସଦସ୍ୟା ମାନେ ଏହି ଖାଦ୍ୟ ପ୍ରସ୍ତୁତ କରି ବଜାରରେ ବିକ୍ରି କରି ବେଶ କିଛି ପଇସା ରୋଜଗାର କରିପାରୁଛନ୍ତି ।

ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ବିଶେଷ ଗୁରୁତ୍ୱ ରହିଛି । ବିଶେଷକରି କୋରାପୁଟ, କନ୍ଧମାଳ, ମାଲକାନଗିରି ଅଂଚଳରେ ଏହି ଚାଷ ଅଧିକ ହୋଇଥାଏ । ଏହାକୁ ଆଦିମ ଜନଜାତି ମାନେ ଅଧିକ ବ୍ୟବହାର କରୁଥିବା ବେଳେ ଏବେ ଏଥିରୁ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ଏସଏଚଜି ମହିଳା । ଦିନକୁ ଦିନ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବିଭିନ୍ନ ପ୍ରକାରର ସ୍ନାକ୍ସ ଆଇଟମ୍ ତିଆରି କରୁଛନ୍ତି । ପ୍ରଥମେ ପ୍ରଥମେ ଘରକାମରେ ଦିନ ବିତୁଥିଲା । ଏବେ ଏହି ସବୁ ଖାଦ୍ୟ ସାମଗ୍ରୀ ବିକ୍ରି କରି ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିପାରୁଛନ୍ତି ମହିଳା ।

ଭାରି ସ୍ୱାଦିଷ୍ଟ ମାଣ୍ଡିଆ ଖାଦ୍ୟ । ମାଣ୍ଡିଆ ପକୁଡିଠାରୁ ଆରମ୍ଭ କରି ମିଲ୍କସେକ ପର୍ଯ୍ୟନ୍ତ ସବୁ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏସଏଚଜି ମହିଳା । ଖୁବ୍ କମ୍ ଦାମରେ ଲୋକଙ୍କୁ ମାଣ୍ଡିଆ ଖାଦ୍ୟ ମିଳୁଥିବାରୁ ଏହାକୁ କିଣିନେଉଛନ୍ତି ଗ୍ରାହକ । ବ୍ୟବସାୟ ବଢ଼ାଇବା ପାଇଁ ଉପଯୁକ୍ତ ଭିତିଭୁମି ନଥିବାରୁ ବ୍ୟବସାୟରେ ଉନ୍ନତି ହୋଇପାରୁନଥିବା ସେମାନେ ଅଭିଯୋଗ କରିଛନ୍ତି ।