ଆନ୍ଧ୍ରପ୍ରଦେଶ କ୍ୟାବିନେଟରୁ ସମସ୍ତ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କାରଣ

1,912

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ କ୍ୟାବିନେଟରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱରେ ଚାଲିଥିବା ସରକାରରୁ ଆଜି ସମସ୍ତ ମନ୍ତ୍ରୀ ଏକାସାଙ୍ଗରେ ଇସ୍ତଫା ଦେଇଛନ୍ତି । ଏହାର କାରଣ ଭାବେ କୁହାଯାଇଛି କି, ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଜଗନମୋହନ ରେଡ୍ଡି କ୍ୟାବିନେଟରେ ଅଦଳ ବଦଳ କରବାକୁ ଚାହିଁଛନ୍ତି । ଆଜି ଏକ କ୍ୟାବିନେଟ ବୈଠକ ପରେ ପ୍ରଥମ ପର୍ଯ୍ୟାୟରେ ୨୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେମାନେ ସେମାନଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କୁ ଦେଇଛନ୍ତି ।

ଏହାପରେ ସ୍ପଷ୍ଟ ହୋଇଛି କି ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳ ବଦଳ ହେବାକୁ ଯାଉଛି । ସେପଟେ ମୁଖ୍ୟମନ୍ତ୍ରୀ ତାଙ୍କର ଅଧା କାର୍ଯ୍ୟକାଳ ପରେ ନିଜ ଟିମ୍ ବଦଳାଇବାକୁ ପୂର୍ବରୁ ସୂଚନା ଦେଇଥିଲେ । ଏହା ୨୦୨୧ ରେ ହେବାକୁ ଥିବା ବେଳେ କରୋନା ମହାମାରୀ ପାଇଁ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ସ୍ଥଗିତ କରାଯାଇଥିଲା ।

ସୂଚନା ଥାଉକି ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭେଟି ମନ୍ତ୍ରୀମଣ୍ଡଳ ଅଦଳ ବଦଳ ନେଇ ସୂଚନା ଦେଇଥିଲେ ।