ଓଡ଼ିଶାରେ ଆନ୍ଧ୍ର କରୁଛି ମାମଲତି । ଆନ୍ଧ୍ର ଭୋଟରେ ଭାଗ ନେବା ପାଇଁ ଓଡ଼ିଶା ଲୋକଙ୍କୁ ବୁଝାଉଛନ୍ତି ଆନ୍ଧ୍ର ଅଫିସର, ନିର୍ବାଚନ ଉପରେ ରୋକ ଲଗାଇବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।

61

କନକ ବ୍ୟୁରୋ : ଆସନ୍ତା ୧୩ ତାରିଖରେ କୋଟିଆରେ ଆନ୍ଧ୍ର ସରକାର କରୁଛନ୍ତି ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ଦୃଷ୍ଟିରେ ରଖି ଆନ୍ଧ୍ରର ପ୍ରଶାସନିକ ଅଧିକାରୀମାନେ ଏବେ କୋଟିଆରେ ଡେରା ପକାଇଛନ୍ତି । ଭୋଟରମାନଙ୍କୁ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ସହିତ ମତଦାନ କିପରି ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ସହିତ କଥା ହେଉଛନ୍ତି । ଅନ୍ୟପଟେ ଆନ୍ଧ୍ରର ଏହି ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇବାକୁ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସେପଟେ ରାଜ୍ୟ ବିଜେପିର ଏକ ଟିମ କୋଟିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

କୋରାପୁଟର କୋଟିଆ, ଗଜପତିର ଗଙ୍ଗାବାଡ, ଗଞ୍ଜାମର ପାତ୍ରପୁର ଏବଂ ମାଲକାନଗିରିର ଜୁମଡାଙ୍ଗ । ପଂଚାୟତ ନିର୍ବାଚନ ପାଇଁ ଏସବୁ ଅଂଚଳରେ ପୋଷ୍ଟର ଲଗାଇ ଓଡିଶା ସରକାରଙ୍କ ଉଦାସିନତା ପ୍ରଦର୍ଶନ କରୁଛି ଆନ୍ଧ୍ର । ଭୋଟରଙ୍କୁ ହାତେଇବାକୁ ଚାଲିଛି ପ୍ରୟାସ । କୋଟିଆରରେ କେମିତି ସୁରୁଖୁରୁରେ ହେବ ନିର୍ବାଚନ, କେମିତି ଭୋଟ ଦେବେ ଭୋଟର ସେନେଇ ବୁଝାଉଛନ୍ତି ଆନ୍ଧ୍ର ପ୍ରଶାସନିକ ଅଧିକାରୀ । ଏହି ଟିମରେ ଅଛନ୍ତି, ପାର୍ବତୀପୁରମ ସବଡିଭିଜନର ଉପ ଜିଲ୍ଳାପାଳ ଭି .ଧେ କାରେ ଓ ସାଲୁର ମଣ୍ଡଳର ତହସିଲଦାର ଶ୍ରୀନିବାସ ରାଓ । ଏହି ପ୍ରାଶାସନିକ ଟିମ କୋଟିଆବାସୀଙ୍କ ପାଖରେ ପହଂଚିଛନ୍ତି । ଆସନ୍ତା ୧୩ ତାରିଖରେ କୋଟିଆରେ ହେବାକୁ ଯାଉଛି ପଂଚାୟତ ନିର୍ବାଚନ । ଏହା ପୂର୍ବରୁ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ଏହି ଅଭିଯାନ ଆନ୍ଧ୍ର-ଓଡିଶା ବିବାଦକୁ ଅଧିକ ଘନୀଭୂତ କରିଛି ।

ସେପଟେ ଆନ୍ଧ୍ରର ଏହି ପଞ୍ଚାୟତ ନିର୍ବାଚନ ଉପରେ ରୋକ ଲଗାଇବାକୁ ଭାରତ ବିକାଶ ପରିଷଦ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ତୁରନ୍ତ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି । କେବଳ କୋଟିଆ ନୁହେଁ, ଆନ୍ଧ୍ର ନିର୍ବାଚନ କରୁଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରି ନିର୍ଦେଶ ଦେବାକୁ ଆବେଦନ କରିଛି ଏହି ସଂସ୍ଥା ।

ଏପଟେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ କୋଟିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଜେପି କହିଛି, ଗୁଇନ୍ଦା ବିଭାଗ ଫେଲ ମାରିବାରୁ ଆନ୍ଧ୍ର ଏଠାରେ ନିର୍ବାଚନ କରିବାକୁ ସକ୍ଷମ ହୋଇଛି । ରାଜ୍ୟ ସରକାର ପ୍ରତି ଗାଁର ପ୍ରତିନିଧିଙ୍କ ସହିତ କଥା ହୋଇ ସର୍ବଦଳୀୟ ବୈଠକ ଡାକି, ବିବାଦର ସମାଧାନ କରନ୍ତୁ ।