ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । ହକିଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ।

136

କନକ ବ୍ୟୁରୋ: ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ । କମିସନରେଟ ପୁଲିସ ପକ୍ଷରୁ ଆଜି କୋର୍ଟରେ ଦାଖଲ କରାଯାଇଥିବା ଫାଇନାଲ ରିପୋର୍ଟରେ ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ ଦିଆଯାଇଛି । ଏଥିସହ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଜନିତ ବୋଲି ରିପୋର୍ଟରେ ଦର୍ଶାଇଛି ଇନଫୋସିଟି ଥାନା ପୁଲିସ । ତଦନ୍ତ ବେଳେ ମିଳିଥିବା ସମସ୍ତ ପ୍ରମାଣ ସହିତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆଧାରରେ ଆନନ୍ଦ ଟପ୍ପୋ ଆତ୍ମହତ୍ୟା କରିଥିବା ପୁଲିସ କହିଛି ।

ଆନନ୍ଦ ଟପ୍ପୋ ବେକରେ ଫାଶୀ ଦେଇ ଝୁଲିପଡିଥିଲେ, ତାଙ୍କ ମୃତ୍ୟୁକୁ ନେଇ କୌଣସି ସନ୍ଦେହ ନାହିଁ ବୋଲି ରିପୋର୍ଟରେ ଲେଖାଯାଇଛି । ଏହାଛଡା ମୃତ୍ୟୁ ପୂର୍ବରୁ ଆନନ୍ଦ ଟପ୍ପୋ ମଦ୍ୟପାନ କରିଥିବା ଜଣାପଡିଛି । ୨୦୨୨ ଫେବୃୟାରୀ ୨୮ରେ ଭୁବନେଶ୍ୱର ପଟିଆ ସ୍ଥିତ ଆୟୁଷ ଆପାର୍ଟମେଣ୍ଟରୁ ଆନନ୍ଦ ଟପ୍ପୋଙ୍କ ଝୁଲନ୍ତା ମୃତଦେହ ଜବତ କରିଥିଲା ଇନଫୋସିଟି ପୁଲିସ । ସେପଟେ ଆନନ୍ଦଙ୍କ ବାପା ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଇନଫୋସିଟି ଥାନାରେ ଲିଖିତ ଏତଲା ଦେଇ ହକି ଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କ ଉପରେ ଅଭିଯୋଗ ଆଣିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା । ତଦନ୍ତକାରୀ ଅଧିକାରୀ ଅର୍ପିତା ପ୍ରିୟଦର୍ଶୀ ଆଜି ମାମଲା ଚୂଡାନ୍ତ ରିପୋର୍ଟ କୋର୍ଟରେ ଦାଖଲ କରି ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ଆତ୍ମହତ୍ୟା ଜନିତ ବୋଲି କହିଛନ୍ତି ।