ଅନାଥ ଭାଇ-ଭଉଣୀଙ୍କୁ ମିଳିଲା ପରିଚୟ: ନୂଆ ବାପାମାଆଙ୍କ ସହ ଯାଜପୁର ଶିଶୁ ଯତ୍ନ କେନ୍ଦ୍ରରୁ ପଶ୍ଚିମବଙ୍ଗ ଗଲେ ଅନାଥ ଶିଶୁ

258

କନକ ବ୍ୟୁରୋ: ଅନାଥ ଭାଇ ଭଉଣୀଙ୍କୁ ଆପଣାଇ ନେଲେ ବଙ୍ଗୀୟ ଦମ୍ପତି । ନୂଆ ପରିଚୟ ସହ ଯାଜପୁରରୁ ପଶ୍ଚିମବଙ୍ଗ ଯାଇଛନ୍ତି ଭାଇ-ଭଉଣୀ । ଅନାଥ ଫୁଲମଣୀ କିସ୍କୁ ଓ ଦେବେନ୍ଦ୍ର କିସ୍କୁଙ୍କୁ କେଳେଇ ନେଇଛନ୍ତି ପଶ୍ଚିମବଙ୍ଗ ହାୱାଡାର ବ୍ୟବସାୟୀ ବିଶ୍ୱରଂଜନ ମଲିକ ଓ ପତ୍ନୀ ରୀନା ମଲିକ । ଦୁଇ କୁନି ପିଲାଙ୍କୁ ଛାଡିବା ବେଳେ ଯାଜପୁର ବରୀ ଥାନା ଅନ୍ତର୍ଗତ ବୁଢାକେନ୍ଦୁଆ ନେସନ ଶିଶୁ ଯତ୍ନ କେନ୍ଦ୍ରରେ ସୃଷ୍ଟି ହୋଇଥିଲା ଭାବ-ବିହ୍ୱଳ ପରିବେଶ । କଇଁ କଇଁ ହୋଇ କାନ୍ଦି ପକାଇଛନ୍ତି ପିଲାଙ୍କ ଲାଳନ ପାଳନ କରୁଥିବା କର୍ମଚାରୀ । ପିଲା ଦୁହିଁଙ୍କ ଆଖିରୁ ବି ବହି ଯାଉଛି ଧାରଧାର ଲୁହ ।

ଅନାଥ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ବଙ୍ଗୀୟ ଦମ୍ପତି ଆବେଦନ କରିଥିଲେ । ତେବେ ପ୍ରଶାସନିକ ସ୍ତରରେ ଅନୁମତି ମିଳିବା ପରେ ଏହି ଦମ୍ପତି ନେସନ ପରିସରରେ ପହଂଚି ଫୁଲମଣୀ କିସ୍କୁ ଓ ଦେବେନ୍ଦ୍ର କିସ୍କୁଙ୍କୁ ନିଜ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

ଶିଶୁ ଯତ୍ନ କେନ୍ଦ୍ରର ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ଉପସ୍ଥିତିରେ ଫୁଲମଣୀ କିସ୍କୁ ଓ ଦେବେନ୍ଦ୍ର କିସ୍କୁଙ୍କୁ ଯାଜପୁରରୁ ବିଦାୟ ଦିଆଯାଇଛି । ପିଲା ଦିନରୁ ଶିଶୁ ଯତ୍ନ କେନ୍ଦ୍ରରେ ବଢିଥିବା ଭାଇ ଭଉଣୀଙ୍କୁ ବିଦାୟ ଦେବା ବେଳେ ସେଠାରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।