ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବର୍ବରତା : ଟିଭି ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା

134

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରେ ଟାର୍ଗେଟ ହତ୍ୟା ବନ୍ଦ ହେବାର ନା ଧରୁନି । ଆତଙ୍କବାଦୀ ପୁଣି ବୁଧବାର ବଡଗାମର ଚାଦୁରା ଅଞ୍ଚଳରେ ୩୫ବର୍ଷୀୟ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ଅମରିନ୍ ନିଜ ଘର ଆଗରେ ପୁତୁରା ସହ ଛିଡା ହୋଇଥିଲେ । ଏହି ସମୟରେ ଆତଙ୍କବାଦୀ ତାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ ।

ତାଙ୍କୁ ତୁରନ୍ତ ହସ୍ପିଟାବରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଗୁଳିକାଣ୍ଡରେ ଅମରିନଙ୍କ ୧୦ବର୍ଷର ପୁତୁରା ଆହତ ହୋଇଛନ୍ତି । ତାଙ୍କ ହାତରେ ଗୁଳି ବାଜିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗତକାଲି ରାତି ୭ଟା ୫୫ ମିନିଟ୍‌ ସମୟରେ ଚାଦୁରା ଅଞ୍ଚଳରେ ୩ ଜଣ ଆତଙ୍କବାଦୀ ଏହି ବର୍ବର କାଣ୍ଡ ଘଟାଇ ଖସିଯାଇଛନ୍ତି ।

ସେମାନେ ଲସ୍କର ଏ ତୋଏବା ଆତଙ୍କବାଦୀ ସଂଗଠନର ବୋଲି ଜଣାପଡ଼ିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳକୁ ସିଲ୍‌ କରାଯାଇଛି । ଅମରୀନଙ୍କ ମୃତ୍ୟୁରେ ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।