ହିଂସକ ହେଲା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଆଜାଦୀ ମାର୍ଚ୍ଚ । ଇମ୍ରାନ୍ ଖାନଙ୍କ ସମର୍ଥକ ଓ ପୋଲିସ ଧସ୍ତାଧସ୍ତି

148

କନକ ବ୍ୟୁରୋ : ଜଳୁଛି ପାକିସ୍ତାନର ଇସଲାମାବାଦ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ଆଜାଦୀ ମାର୍ଚ୍ଚ ହିଂସାରେ ପରିଣତ ହୋଇଛି । ତୁରନ୍ତ ନିର୍ବାଚନ ଦାବି କରି ଇମରାନ୍ ଖାନଙ୍କ ଆଜାଦୀ ମାର୍ଚ୍ଚ କରାଯାଇଥିଲା । ଏଥିରେ ହଜାର ହଜାର ସଂଖ୍ୟକ ଇମରାନ ଖାନଙ୍କ ସମର୍ଥକ ଏକାଠି ହୋଇଥିଲେ । ଏହି ସମୟରେ ପୋଲିସ ଓ ଇମରାନ ଖାନଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଇମ୍ରାନ ଖାନଙ୍କ ସମର୍ଥକମାନେ ଇସଲାମାବାଦରେ ଥିବା ମେଟ୍ରୋ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ।

ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇସଲାମାବାଦରେ ସରକାର ସେନା ମୁତୟନ କରିଛନ୍ତି । ରାଜଧାନୀ ଇସଲାମାବାଦ ସମେତ ରାୱଲପିଣ୍ଡି, କରାଚୀ ଓ ଲାହୋର ପରି ଅଞ୍ଚଳରେ ହିଂସାକାଣ୍ଡ ଦେଖାଦେଇଛି । ଇସଲାମାବାଦରେ ଇମ୍ରାନ୍ ଖାନ୍ ପ୍ରବେଶ କରିବା ମାତ୍ରେ ସମର୍ଥକମାନେ ବିଭିନ୍ନ ସ୍ଥାନରେ ପୋଡାଜଳା କରିଥିଲେ । ନିର୍ବାଚନ ନେଇ ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ଇମ୍ରାନ୍ ଖାନ୍ ଇସଲାମାବାଦ ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।