‘ଆମନେଷ୍ଟି’ ରିପୋର୍ଟ : ୨୦୨୨ ରେ ୫୩ ପ୍ରତିଶତ ବୃଦ୍ଧି ପାଇଛି ମୃତ୍ୟୁଦଣ୍ଡ ମାମଲା । ଜାଣନ୍ତୁ ଭାରତ ଓ ପାକିସ୍ତାନର ସ୍ଥିତି

177

କନକ ବ୍ୟୁରୋ : ସାରା ବିଶ୍ୱରେ ବଢିଚାଲିଛି ମୃତ୍ୟୁଦଣ୍ଡ ମାମଲା । ଗୋଟିଏ ବର୍ଷ ପୂର୍ବ ତୁଳନାରେ ୨୦୨୨ ରେ ମୃତ୍ୟୁଦଣ୍ଡ ମାମଲା ୫୩ ପ୍ରତିଶତ ବୃଦ୍ଧି ପାଇଛି । ‘ଆମନେଷ୍ଟି’ ଇଣ୍ଟରନ୍ୟାସନାଲ ମଙ୍ଗଳବାର ଦିନ ତାର ରିପୋର୍ଟରେ ଏହା ଦାବି କରିଛି । ରିପୋର୍ଟ ମୁତାବକ ଇରାନ ଓ ସାଉଦୀ ଆରବରେ ସବୁଠାରୁ ଅଧିକ ମୃତ୍ୟୁଦଣ୍ଡ ଦିଆଯାଇଛି ।

ବାର୍ଷିକ ରିପୋର୍ଟ ମୁତାବକ ସାରା ଦେଶ ତୁଳନାରେ ସବୁଠାରୁ ଅଧିକ ମୃତ୍ୟୁଦଣ୍ଡ ଦିଆଯାଇଥିବା ରାଷ୍ଟ୍ର ତାଲିକାରେ ଇଣ୍ଡୋନେସିଆ ସବୁଠାରୁ ଆଗରେ ରହିଛି । ରିପୋର୍ଟରେ ଦାବି କରାଯାଇଛି କି, ୨୦୨୨ରେ ମଧ୍ୟ-ପୂର୍ବ ଓ ଉତ୍ତର ଅଫ୍ରିକାର ୭୦ ପ୍ରତିଶତ ମୃତ୍ୟୁଦଣ୍ଡ କେବଳ ଇରାନରେ ଦିଆଯାଇଛି । ଇରାନରେ ୨୦୨୧ ରେ ୩୧୪ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ବେଳେ ୨୦୨୨ ରେ ଏହା ୮୩ ପ୍ରତିଶତ ବଢଦ୍ଧି ପାଇ ୫୭୬ ଜଣଙ୍କ ମୃତ୍ୟୁଦଣ୍ଡ ଦିଆଯାଇଛି ।

ସେହିଭଳି ସାଉଦୀ ଆରବରେ ୨୦୨୧ ମସିହାରେ ୬୫ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୧୯୬କୁ ବୃଦ୍ଧି ପାଇଥିଲା । ଅର୍ଥାତ ୨୦୨୧ ତୁଳନାରେ ୨୦୨୨ ରେ ମୃତ୍ୟୁଦଣ୍ଡ ମାମଲା ୩ଗୁଣ ବୃଦ୍ଧି ପାଇଛି । ୨୦୨୧ରେ ୧୮ଟି ଦେଶ ୫୭୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ୨୦୨୨ ରେ ୮୮୩ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ଅନ୍ୟପଟେ ଚୀନ, ଉତ୍ତରକୋରିଆ ଓ ଭିଏତନାମ ସହିତ ଅନେକ ଦେଶରେ ମୃତ୍ୟୁଦଣ୍ଡ ଉପରେ ସଠିକ୍ ରିପୋର୍ଟ ମିଳିପାରି ନାହିଁ । ଏହି ଦେଶଗୁଡିକ ଏଭଳି ମାମଲାକୁ ଗୁପ୍ତ ରଖିଥାନ୍ତି ।

ରିପୋର୍ଟ ମୁତାବକ ୨୦୨୨ ରେ ଇଣ୍ଡୋନେସିଆରେ ୧୧୨ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିଶା କାରବାରରେ ସଂପୃକ୍ତ ଥିଲେ । ସେହିଭଳି ବାଂଲାଦେଶରେ ୨୦୨୨ ରେ ୧୬୯ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି କ୍ରମରେ ୨୦୨୨ରେ ଭାରତରେ ୧୬୫ ଜଣଙ୍କୁ, ପାକିସ୍ତାନରେ ୧୨୭ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା ।