ନାନୋ ୟୁରିୟା ଭଳି ଏବେ ଇଫକୋ ପ୍ରସ୍ତୁତ କରିବ ନାନୋ ଡିଏପି, କାରଖାନାର ଶିଳାନ୍ୟାସ କଲେ ଗୃହମନ୍ତ୍ରୀ

89

କନକ ବ୍ୟୁରୋ : ଚାଷୀଭାଇମାନଙ୍କ ପାଇଁ ଖୁସିଖବର । ଏବେ ନାନୋ ୟୁରିୟା ଭଳି ଚାଷୀଙ୍କୁ ମିଳିବ ନାନୋ ଡିଏପି । ଏନେଇ ଇଫକୋ କମ୍ପାନୀ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଗୁଜରାଟର ଗାନ୍ଧୀଧାମ ଠାରେ ଇଫକୋ ଦ୍ୱାରା ଆରମ୍ଭ କରାଯାଇଥିବା ନାନୋ ଡିଏପି କାରଖାନାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଏହି ପ୍ଲାଣ୍ଟ ୭୦ ଏକ ଜମି ଉପରେ ନିର୍ମାଣ କରାଯିବ । ଏବେ ଚାଷୀଭାଇମାନେ ୫୦ କିଲୋ ଡିଏପି ସ୍ଥାନରେ ମାତ୍ର ଅଧାଲିଟର ନାନୋ ଡିଏପି ବ୍ୟବହାର କରିପାରିବେ । ଗୋଟିଏ ବର୍ଷ ମଧ୍ୟରେ ଏହି କାରଖାନା କାର୍ଯ୍ୟକ୍ଷମ ହେବ ବୋଲି ଶିଳାନ୍ୟାସ ଉତ୍ସବରେ ଗୃହମନ୍ତ୍ରୀ କହିଛନ୍ତି । ଏହି ପ୍ଲାଣ୍ଟ ତାର ଉତ୍ପାଦନ ଆରମ୍ଭ କରିବା ପରେ ଏହା ଜୈବିକ ଚାଷକୁ ପ୍ରୋତ୍ସାହିତ କରିବ । ଗୃହମନ୍ତ୍ରୀ କହିଛନ୍ତି କି, ଏହା ବିଶ୍ୱର ସର୍ବବୃହତ ନାନୋ ଡିଏପି କାରଖାନା ହେବ ।

ଶିଳାନ୍ୟାସ ଉତ୍ସବରେ ଯୋଗଦେଇ ଗୃହମନ୍ତ୍ରୀ କହିଛନ୍ତି କି ଯେମିତି ବି ହେଉ ଦେଶବାସୀଙ୍କୁ ଆତ୍ମନିର୍ଭର କରାଇବାରେ ସକରାର ପ୍ରଚେଷ୍ଠା ଚଳାଇଛନ୍ତି । ଏଭଳି କୋ-ଅପରେଟିଭ ସେକ୍ଟରଗୁଡିକ ଦେଶର ଚାଷୀଙ୍କ ଆୟ ବୃଦ୍ଧି କରିବାରେ ବଡ ଭୂମିକା ନିଭାଉଛନ୍ତି ।

ଏହି ନାନୋ ଡିଏପି ଚାଷୀଭାଇଙ୍କ ପାଖରେ ପହଂଚିବା ପରେ ଚାଷୀଭାଇମାନଙ୍କୁ ଆଉ କୁଇଣ୍ଟାଲ କୁଇଣ୍ଟାଲ ଡିଏପି ସାର ବ୍ୟବହାର କରିବାକୁ ପଡିବ ନାହିଁ । କାରଣ ୫୦ କେଜି ଡିଏପି ସ୍ଥାନରେ ମାତ୍ର ଅଧାଲିଟର ନାନୋ ଡିଏପି ବ୍ୟବହାର କରିପାରିବେ ଦେଶର ଚାଷୀଭାଇମାନେ । ଏହାଦ୍ୱାରା ପରିବହନ ଖର୍ଚ୍ଚ ମଧ୍ୟ କମିବ । ସେପଟେ ଇଫକୋ ତରଫରୁ ଆରମ୍ଭ କରାଯାଇଥିବା ଡ୍ରୋନ ମାଧ୍ୟମରେ ସାର ଓ କୀଟନାଷକ ସିଂଚନକୁ ମଧ୍ୟ ପ୍ରଶଂସା କରିଥିଲେ ଗୃହମନ୍ତ୍ରୀ ।