ମହିଳାଙ୍କ ସେକ୍ସ ଏଜୁକେସନ୍ ନେଇ ବୟାନ ପଡିଲା ଭାରି: ଆମେରିକୀୟ ଗାୟିକା ମ୍ୟାରି ମିଲବେନ୍ କହିଲେ, ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟ ନୁହଁନ୍ତି ନୀତୀଶ

610

କନକ ବ୍ୟୁରୋ: ମହିଳାଙ୍କ ସେକ୍ସ ଏଜୁକେସନ୍ ଉପରେ ବିବାଦୀୟ ବୟାନ ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସମସ୍ୟା ବଢି ବଢି ଚାଲିଛି । ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯାଉଛି । ଏବେ ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମ୍ୟାରି ମିଲବେନ୍, ନୀତୀଶଙ୍କୁ ଘୋର ସମାଲୋଚନା କରିଛନ୍ତି । ମିଲବେନ୍ କହିଛନ୍ତି, ସେ ଭାରତୀୟ ହୋଇଥିଲେ ନୀତୀଶଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ିଥାନ୍ତେ । ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁରି ଭୁରି ପ୍ରସଂଶା କରିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ମହିଳାଙ୍କ ସେକ୍ସ ଏଜୁକେସନ୍ ଉପରେ ଦେଇଥିବା ବୟାନ ପାଇଁ ଏବେ ଭାରତରେ ନୁହେଁ ବିଦେଶରେ ବି ସମାଲୋଚନାର ଶିକାର ହୋଇଛନ୍ତି ନୀତୀଶ । ଆମେରିକୀୟ ସିଙ୍ଗର ତଥା ଅଭିନେତ୍ରୀ ମ୍ୟାରି ମିଲବେନ୍, ବିହାର ମୁଖ୍ୟମନ୍ତ୍ରୀଙ୍କ ଘୋର ନିନ୍ଦା କରିଛନ୍ତି । ଏକ ଭିଡିଓ ଜାରି କରି ନୀତୀଶ କୁମାରଙ୍କ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିଛନ୍ତି । ମିଲବେନ୍ କହିଛନ୍ତି, ଯଦି ସେ ଭାରତୀୟ ହୋଇଥାନ୍ତେ ତେତେ ସେ ନୀତୀଶ କୁମାରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିଥାନ୍ତେ । ନୀତୀଶ କୁମାର ଜଣେ ନେତା ହେବାର ଯୋଗ୍ୟ ନୁହଁନ୍ତି । ସେ ମହିଳାଙ୍କୁ ସମ୍ମାନ ଦେବା ଜାଣି ନାହାଁନ୍ତି । ମିଲବେନ୍ ଆହୁରି ମଧ୍ୟ କହିଛନ୍ତି ମୋଦୀଙ୍କ ଭଳି ନେତା ଭାରତ ପାଇଁ ଜରୁରୀ ।

ସେପଟେ ବିହାରରେ ନୀତୀଶ କୁମାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେରି ଦାବି କରିଛି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏ ପ୍ରସଙ୍ଗରେ ଇଣ୍ଡିଆ ଆଲାଏନ୍ସକୁ କଡା ସମାଲୋଚନା କରିଛନ୍ତି । ସ୍ମୃତି କହିଛନ୍ତି, ନୀତୀଶ କୁମାର ବିରୋଧୀ ଦଳର ସଂସ୍କାରର ପରିଚୟ ଦେଉଛି । ସେପଟେ ନୀତୀଶ କୁମାର କାହାକୁ କଷ୍ଟ ଦେବା ପାଇଁ ଏଭଳି କହି ନାହାଁନ୍ତି । ନିଜ ବୟାନକୁ ନେଇ ସେ କ୍ଷମା ମଧ୍ୟ ମାଗି ସାରିଛନ୍ତି । ମାତ୍ର ବିଜେପି ଏହାକୁ ବଡ ବିବାଦ କରୁଥିବା କହିଛନ୍ତି ଏନ୍ସିପି ମୁଖପାତ୍ର ।

ମଙ୍ଗଳବାର ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ମତ ରଖି ନୀତୀଶ କହିଥିଲେ, ବିହାରରେ ଜନ୍ମହାର ୪.୨% ରୁ ୨.୯%କୁ ଖସିଆସିଛି । ଏହା ପଛରେ କାରଣ ହେଉଛି ସେକ୍ସ ଏଜୁକେଶସ । ବିହାରରେ ମହିଳାମାନେ ସେକ୍ସ ଏଜୁକେଶନରେ ଆଗୁଆ । ଯାହା ସେମାନଙ୍କ ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କକୁ ପ୍ରଭାବିତ କରୁଛି । ମହିଳାଙ୍କ ଉପରେ ପୁରୁଷଙ୍କ ପ୍ରଧାନ୍ୟ ଯୋଗୁଁ ଜନ୍ମହାର ବଢିଥାଏ, କିନ୍ତୁ ଶିକ୍ଷା ଯୋଗୁଁ ମହିଳାମାନେ ସ୍ଥିିତି ସୁଧାରିନେଉଛନ୍ତି, ଯାହା ଜନ୍ମହାର କମିବାର ମୁଖ୍ୟ କାରଣ । ତାଙ୍କର ଏହି ବୟାନକୁ ନେଇ ବିବାଦ ତେଜିବା ପରେ ବୁଧବାର କ୍ଷମା ମାଗିଥିଲେ ନୀତୀଶ କୁମାର । ହେଲେ ଏ ବିବାଦ ଥମିବାର ନାଁ ନେଉ ନାହିଁ ।