ଲକ୍ଷ୍ମୀ ନାରାୟଣପୁରରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

42

ପିପିଲି: ପୁରୀ ଜିଲ୍ଲା ପିପିଲି ଲକ୍ଷ୍ମୀନାରାୟଣପୁରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ଭାଇ ବର୍ଷର ପ୍ରଥମ ଚାଷ ଆରମ୍ଭ କରୁଥିବାରୁ ସାଂକେତିକ ଭାବେ ଚାଷକାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିହନ ଓ ହଳ, ଲଙ୍ଗଳ ପ୍ରସ୍ତୁତ କରି ରଖାଯାଇଥିବାବେଳେ ବିହନ ପେଡିକୁ ଛୁଇଁବା ସହ ହଳ, ଲଙ୍ଗଳରେ ହାତରଖି ମୁଖ୍ୟମନ୍ତ୍ରୀ ଚାଷକାମର ଶୁଭାରମ୍ଭ କରିଥିଲେ । ଏଥର ଭଲ ମୌସୁମୀ ବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଭଲ ଚାଷ ହେବାନେଇ ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ନିଜକୁ ଚଷାପୁଅ ବୋଲି ସବୁବେଳେ କହିଆସୁଥିବା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ଅକ୍ଷୟ ତୃତୀୟାରେ ଧରିଛନ୍ତି ହଳ । ଚାଷ ଆରମ୍ଭ ଦିନରେ ନିଜେ ହଳ, ଲଙ୍ଗଳ ଧରି ଚାଷକାର୍ଯ୍ୟ ଆରମ୍ଭ କରିବା ପାଇଁ ରାଜ୍ୟର ଚାଷୀ ଭାଇଙ୍କୁ ପ୍ରେରଣା ଦେଇଛନ୍ତି ପ୍ରଦୀପ ମହାରଥୀ । ତେବେ କିଛିବାଟ ହଳ କରିବା ପରେ ହାଲିଆ ହୋଇପଡିଥିଲେ କୃଷିମନ୍ତ୍ରୀ । ବାଟରେ ଅଟକି ଯାଉଥିଲେ ଓ ପୁଣି ଚାଲୁଥିଲେ । ଭିଷଣ ଖରାରେ ବିଜେଡି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କୃଷି ଉତ୍ସବରେ ହଳ କରିଥିଲେ ମନ୍ତ୍ରୀ । ପାଖେପାଖେ ରହୁଥିଲେ ବି ସମର୍ଥକ ।

ସେହିପରି ବିଜେଡି ବିଧାୟକ ଶଶିଭୂଷଣ ବେହେରାଙ୍କୁ ବି ଦେଖିବାକୁ ମିଲିଥିଲା ଦିନିକିଆ ଚଷା ପୁଅ ବେଶରେ । ଜୟଦେବ ବିଧାୟକ ଶଶିଭୂଷଣ ବେହେରା ପିପିଲିରେ ଆୟୋଜିତ କୃଷି ଉତ୍ସବରେ ସାମିଲ ହେବା ସହ ଚାଷୀଙ୍କ ଉତ୍ସାହ ବୃଦ୍ଧି କରିବାକୁ ହଳ ଧରିଥିଲେ । ବିଧାୟକଙ୍କ ଏଭଳି ବେଶ ବେଶ ଆକର୍ଷିତ କରିଥିଲା ଉପସ୍ଥିତ ଦଳୀୟ ସମର୍ଥକ ଓ ଚାଷୀମାନଙ୍କୁ । ମରୁଡି ପ୍ରଭାବିତ ବର୍ଷରେ ଚାଷୀଙ୍କ ପାଇଁ ବିଜେଡି ସରକାରଙ୍କ ଦରଦ କେତେ ତାହା ଏହି ସମାବେଶ ଓ ମନ୍ତ୍ରୀ ବିଧାୟକଙ୍କ ହଳ ଲଙ୍ଗଳ ଧରିବାରୁ ସ୍ପଷ୍ଟ ବାରିହୋଇ ପଡୁଥିଲା ।