ଅଜିତ୍ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଘଟଣା । ଦୁଇ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଟ୍ରାନ୍ସଫର ସହ ୩ କମାଣ୍ଡୋ ନିଲମ୍ବିତ ।

549

କନକ ବ୍ୟୁରୋ: ଏନଏସଏ ଅଜିତ ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ଚଳିତ ବର୍ଷ ଫେବୃଆରୀରେ ଅଜିତ ଡୋଭାଲଙ୍କ ବାସଭବନରେ ଘଟିଥିବା ସୁରକ୍ଷାରେ ତ୍ରୁଟିର ତଦନ୍ତ ପରେ ଫୋର୍ସର ଭିଆଇପି ସୁରକ୍ଷା ୟୁନିଟର ଦୁଇ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦିଆଯିବା ସହ ୩ ଜଣ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) କମାଣ୍ଡୋଙ୍କୁ ସେବାରୁ ବରଖାସ୍ତ କରାଯାଇଛି।

୭୭ ବର୍ଷବୟସ୍କ ଡୋଭାଲ ‘ଜେଡ୍ +’ ବର୍ଗର ସୁରକ୍ଷା ଉପଭୋଗ କରନ୍ତି। ତାଙ୍କୁ ସିଆଇଏସଏଫର ସ୍ୱତନ୍ତ୍ର ସୁରକ୍ଷା (ଏସଏସଜି) ୟୁନିଟ ଦ୍ୱାରା ସୁରକ୍ଷା ପ୍ରଦାନ କରାଯାଇଛି। ଦେଶର ଯେକୌଣସି ସ୍ଥାନକୁ ଗସ୍ତ ସମୟରେ ଏନଏସଏକୁ ଜଗିବା ବ୍ୟତୀତ ଅର୍ଦ୍ଧସାମରିକ କମାଣ୍ଡୋମାନେ ତାଙ୍କ ସରକାରୀ ବାସଭବନକୁ ଜଗି ରୁହନ୍ତି । ଫେବୃଆରୀ ୧୬ ରେ ସୁରକ୍ଷା ତ୍ରୁଟି ଘଟଣା ଘଟିଥିଲା। ସିଆଇଏସଏଫ ଦ୍ୱାରା କରାଯାଇଥିବା ତଦନ୍ତରେ ପାଞ୍ଚ ଜଣ ଅଧିକାରୀଙ୍କୁ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯିବା ପରେ ଏବଂ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯିବା ପରେ ଏହି ଦଣ୍ଡନୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନା ମୁତାବକ, ଫେବୃଆରୀ ୧୬ ତାରିଖ ସକାଳ ପ୍ରାୟ ୭.୩୦ ସମୟରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଏକ ଲାଲ୍ ଏସୟୁଭି (ସ୍ପୋର୍ଟସ୍ ୟୁଟିଲିଟି ଯାନ) ଚଳାଇ କେନ୍ଦ୍ରୀୟ ଦିଲ୍ଲୀରେ ଡୋଭାଲଙ୍କ ଉଚ୍ଚ ସୁରକ୍ଷା ବାସଭବନରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ସୁରକ୍ଷା ଉଲ୍ଲଂଘନ କରିଥିବା ବ୍ୟକ୍ତି ଜଣକୁ ଧରି ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।