ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଛକାପଞ୍ଝା ଜାରି ! କୋଟିଆରେ ପୁଣି ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି

40

କନକ ବ୍ୟୁରୋ: ବିବାଦୀୟ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଛକାପଞ୍ଝା ଲାଗି ରହିଛି। କୋଟିଆ ଅଂଚଳର ବିକାଶ ପାଇଁ ଓଡ଼ିଶା ସରକାର ଆକ୍ସନ ପ୍ଲାନ କରୁ କରୁ ଆନ୍ଧ୍ର ଅଧିକାରୀମାନେ ଅଲଗା ବାଟରେ ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି। ଗତକାଲି ଆନ୍ଧ୍ରର ବହୁ ଅଧିକାରୀ କୋଟିଆ ଗ୍ରାମ ପୁଞ୍ଜର ନେରେଡି ବାଲସା ଓ ଧୂଳି ପଦର ଗ୍ରାମକୁ ଆସି ସ୍ୱାସ୍ଥ୍ୟ ଶିବିର କରାଇଛନ୍ତି। ଏକ ମୋବାଇଲ ହେଲଥ ୟୁନିଟକୁ ମଧ୍ୟ ଉଦଘାଟନ କରିଛନ୍ତି। ଅପରପକ୍ଷରେ ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଳାପାଳ ଗଦାଧର ପରିଡା ଗତକାଲି କୋଟିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ କୋରାପୁଟର ପୂର୍ବତନ ଜିଲ୍ଲାପାଳ ସଂଜୀବ ହୋତା ମଧ୍ୟ କୋଟିଆ ଯାଇଛନ୍ତି ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ବିବାଦୀୟ ଗାଁ ଗୁଡିକରେ ଆଧିପତ୍ୟ ଜାହିର କରିବା ପାଇଁ ଆନ୍ଧ୍ର ସରକାର ଚେଷ୍ଟା ଚଳାଇଛନ୍ତି । ଗତମାସରେ ବିଜୟନଗରମ ଜିଲ୍ଲାପାଳଙ୍କ ସମେତ ଅଧା ଡଜନ ଅଧିକାରୀ ବିବାଦୀୟ କୋଟିଆରେ ପହଞ୍ଚି ବିଭିନ୍ନ ସରକାରୀ କାମର ସମୀକ୍ଷା କରିଥିଲେ । ଏହା ପରଠାରୁ ଆନ୍ଧ୍ର ଅଧିକାରୀମାନେ ନିୟମିତ କୋଟିଆ ଆସି ସ୍ଥିତି ପରଖୁଛନ୍ତି। ଗତକାଲି ପାର୍ବତୀପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଲକ୍ଷ୍ମୀ ଶାହା ଓ ଡେପୁଟି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ନାରାୟଣ ରାଓଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଆସି କୋଟିଆ ଗ୍ରାମ ପୁଞ୍ଜର ନେରେଡି ବାଲସାରେ ସ୍ଥିତି ସମୀକ୍ଷା କରିଥିଲେ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ କାମର ସମୀକ୍ଷା କରିଥିଲେ । ନେରେଡିବାଲସାରେ ଏକ ମୋବାଇଲ ହେଲଥ ୟୁନିଟକୁ ଉଦଘାଟନ କରିଥିଲେ । ନେରେଡିବାଲସା ହାଟ ସମେତ ଧୂଳି ପଦରକୁ ଯାଇ ସରକାରୀ କାମର ସମୀକ୍ଷା କରାଯାଇଥିଲା। ତାଡି ବାଲସା, କୁମ୍ଭୀ ବାଲସା, ପଣସୁ ବାଲସା ଆଦି ଗାଁକୁ ରାସ୍ତା ନ ଥିବାରୁ ରାସ୍ତା ନିର୍ମାଣ ପାଇଁ ମାପଚୁପ କରାଯାଇଥିଲା। ବିଭିନ୍ନ ଗ୍ରାମରେ ପିଇବା ପାଣି ଓ ରାସ୍ତା ନିର୍ମାଣକୁ ଅଧିକାରୀମାନେ ଗୁରୁତ୍ୱ ଦେବା ସହ ଆନ୍ଧ୍ର ପକ୍ଷରୁ ଥିବା ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଯାଇଥିଲେ । ଆନ୍ଧ୍ରର ଅଧିକାରୀ ଯିବା ପୂର୍ବରୁ ପ୍ରତି ସପ୍ତାହରେ ଏଠାକୁ ଆସି ସେମାନଙ୍କର ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ।

ଆନ୍ଧ୍ରର ଅନୁପ୍ରବେଶ ନେଇ ଖବର ପାଇବା ପରେ ମଧ୍ୟ କୋରାପୁଟ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ସେଠାକୁ ଯାଇ ନ ଥିଲେ । ଏପଟେ ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କୋଟିଆ ଗସ୍ତରେ ଯାଇଥିଲେ । ତାଙ୍କ ସହ ଥିଲେ ପୂର୍ବତନ ଜିଲ୍ଲାପାଳ ସଂଜୀବ ଚନ୍ଦ୍ର ହୋତା। ସେମାନେ କୋଟିଆ ଗ୍ରାମପୁଞ୍ଜର ଲୋକଙ୍କ ସହ କଥା ହୋଇଥିଲେ। ଏଥିନେଇ ଗଣମାଧ୍ୟମକୁ ସେ କହିଛନ୍ତି ଯେ, କୋଟିଆବାସୀଙ୍କ ଭଲ ପାଇଁ ଆନ୍ଧ୍ର ଅଧିକାରୀମାନେ ଯଦି କିଛି କାମ କରୁଛନ୍ତି ତାହା ସ୍ୱାଗତଯୋଗ୍ୟ। କିନ୍ତୁ ଏହା ପଛରେ ସେମାନେ କିଛି ମନ୍ଦ ଉଦ୍ଦେଶ୍ୟ ରଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।