ଫ୍ୟାନକୁ କନ୍ଦାଇ ଚାଲିଗଲେ ଅଭିନେତା ପିଣ୍ଟୁ ନନ୍ଦ: କିଛି ସମୟ ପରେ ଭୁବନେଶ୍ୱରରେ ପହଁଚିବ ପାର୍ଥୀବ ଶରୀର

327

କନକ ବ୍ୟୁରୋ: କିଏ ଜାଣିଥିଲା, ସମସ୍ତଙ୍କୁ ଆପଣାର କରିପାରିଥିବା ଏହି କଳାକାର ଏମିତି ଚାଲିଯିବେ । ପିଂଟୁ ଆଉ ନାହାଁନ୍ତି, ଯିଏ ଶୁଣିଛି, ସିଏ ସ୍ତବ୍ଧ ହୋଇଯାଉଛି । ଯେତେବେଳେ ଜଣାପଡ଼ିଥିଲା, ପିଂଟୁ ନନ୍ଦ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି, ସେତେବେଳେ ନିଜର ପ୍ରୀୟ କଳାକାରଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ । ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ପାଇଁ ପାରୁପର୍ଯ୍ୟନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ହେଲେ ବିଧିର ବିଧାନ ଥିଲା ଆଉ କିଛି ।

ଭୁବନେଶ୍ୱରରୁ ଦିଲ୍ଲୀ, ଦିଲ୍ଲୀରୁ ହାଇଦ୍ରାବାଦ । ଚିକିତ୍ସା ପାଇଁ ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ନିଆଯାଇଥିଲା ସତ, କିନ୍ତୁ ଯେତେବେଳେ ଶ୍ରୀତମ ଦାସଙ୍କ ଟୁଇଟ୍୍ ଆସିଥିଲା ସମସ୍ତଙ୍କ ମନରେ ଶଙ୍କା ପଶିଥିଲା । ଆଉ ସତକୁ ସତ ସେଇଆ ଘଟିଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି ଦେଲେ ପିଂଟୁ ନନ୍ଦ ।

ଲିଭର ସିରୋଶିସ୍ ରୋଗରେ ପୀଡିତ ହୋଇ ଅଭିନେତା ପିଂଟୁ ନନ୍ଦଙ୍କ ଦେହାନ୍ତ ପରେ ଲୋକଙ୍କ ମନରେ ଛନକା । ଏହି ଲିଭର ସିରୋସିଶ ରୋଗ କ’ଣ ଏବଂ ଏହାର ଲକ୍ଷଣ କ’ଣ? ତାହା ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଯାଇଛି ।

ଲିଭର ସିରୋସିସ୍ ରୋଗ କ’ଣ?
ଲିଭର ସିରୋସିସ୍ ହେଉଛି ଯକୃତକୋଶର କ୍ଷୟ ରୋଗ । ଲିଭରଜନିତ ରୋଗର ଏହା ହେଉଛି ଶେଷ ଷ୍ଟେଜ୍ । ଏହି ରୋଗ ହେଲେ ଲିଭର ଭିତରେ କଳା ଚିହ୍ନ ଭଳି ଟିସୁ ତିଆରି ହୁଏ । ଲିଭରରେ ଥିବା ଏହି କଳା ଚିହ୍ନକୁ ଫିବ୍ରୋସିସ୍ ଟିସୁ ବୋଲି କୁହାଯାଏ । ଏହି ଟିସୁ ତିଆରି ହେଲେ ଲିଭରର ରୋଗ ପ୍ରତିିରୋଧକ ଶକ୍ତି କମିଯାଏ । ଫିବ୍ରୋସିସ୍ ଟିସୁ ଯୋଗୁ ସାଧାରଣ ଟିସୁ ପ୍ରଭାବିତ ହୋଇଥାଏ ।

ମନରେ ପ୍ରଶ୍ନ ଆସୁଥାଇପାରେ- ଲିଭର ସିରୋସିସ୍ ରୋଗର ଲକ୍ଷଣ କ’ଣ? ଲିଭର ସିରୋସିସ୍ ରୋଗ ହେଲେ ଥକାପଣ ଅନୁଭବ ହୁଏ । ଲିଭର ସିରୋସିସ୍ ରୋଗୀ ଦୁର୍ବଳ ଅନୁଭବ କରନ୍ତି । ରୋଗ ହେଲେ ଭୋକ କମ ଲାଗିଥାଏ । ବିନାକାରଣରେ ଶରୀରର ଓଜନ ହ୍ରାସ ପାଏ । ବାନ୍ତି ଲାଗିବା ସହ ବାନ୍ତି ମଧ୍ୟ ହୋଇଥାଏ । ପାଦ ଓ ହାତ ନାଲି ପଡ଼ିଯାଏ । ତଳି ପେଟର ଡାହାଣ ପଟରେ ଯନ୍ତ୍ରଣା ହୋଇଥାଏ ।

ରୋଗ ଅଧିକ ଦିନ ରହିଲେ ଲକ୍ଷଣରେ ପରିବର୍ତନ ହୋଇଥାଏ । ଦେହ ହାତରେ କାଛୁ, କୁଣ୍ଡିଆ ହୋଇଥାଏ । ଗୋଡ଼ର ତଳ ଭାଗ ଫୁଲିବା ଆରମ୍ଭ ହୋଇଥାଏ । ଜଣ୍ଡିସ୍ ଭଳି ରୋଗ ହୋଇଥାଏ । ଶରୀରରେ କୌଣସି ସ୍ଥାନରେ କଟିଗଲେ ରକ୍ତ ବନ୍ଦ ହେବାରେ ବିଳମ୍ବ ହୁଏ । ରୋଗର ଏହି କାରଣ ଓ ଲକ୍ଷଣର ତଥ୍ୟ ଭିତରେ ଅଭିନେତା ପିଂଟୁ ନନ୍ଦ ଆମ ସମସ୍ତଙ୍କ ପାଇଁ ଏକ ବାର୍ତା ଛାଡ଼ିଗଲେ ।