ଇନ୍ଧନ ଗ୍ୟାସ ଦରବୃଦ୍ଧି ନେଇ କେନ୍ଦ୍ର ବିରୋଧରେ ବର୍ଷିଲା ବିଜେଡି: ପ୍ରେସମିଟ୍ କରି ସମାଲୋଚନା କଲେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

103

କନକ ବ୍ୟୁରୋ: ୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଗ୍ୟାସର ଦର ହୁ ହୁ ହୋଇ ବଢ଼ିଚାଲିଛି । ନଜର ପକାନ୍ତୁ, ଏହି ୮ ବର୍ଷ ମଧ୍ୟରେ କେମିତି ବଢ଼ିଛି ଇନ୍ଧନ ଗ୍ୟାସର ମୂଲ୍ୟ । ୨୦୧୪ ମାର୍ଚ୍ଚ ମାସରେ ଗ୍ୟାସ ଦର ୪୧୦ ଟଙ୍କା ଥିଲା । ୨୦୧୮ ପର ଠାରୁ ଦର ଉପରେ ଆଉ ଲଗାମ ଲାଗିନାହିଁ । ୨୦୧୮ରେ ୬୭୭ ଟଙ୍କା ହୋଇଥିଲା, ୨୦୧୯ରେ ୭୩୦, ୨୦୨୦ରେ ୮୩୯ ଟଙ୍କାରେ ପହଁଚି ଯାଇଥିଲା । ୨୦୨୧ରେ ୮୪୫ ଟଙ୍କା ହୋଇଥିବା ବେଳେ ୨୦୨୨ ମାର୍ଚ୍ଚ ମାସରେ ୧୪.୨ କିଲୋ ଏଲପିଜି ସିଲିଣ୍ଡର ପିଛା ଦର ଥିଲା ୯୨୬ ଟଙ୍କା । ଠିକ୍ ବର୍ଷକ ପରେ ଅର୍ଥାତ ୨୦୨୩ ମାର୍ଚ୍ଚରେ ଏହା ୧୧୨୯ ଟଙ୍କାରେ ପହଁଚିଛି । ଗତ ଜୁଲାଇରୁ ୮ ମାସ ଧରି ଏହା ୧୦୭୯ ଟଙ୍କାରେ ସ୍ଥିର ରହିଥିଲା । ମାର୍ଚ୍ଚ ୧ ତାରିଖରେ ୫୦ ଟଙ୍କା ବୃଦ୍ଧି ପାଇଛି ।

ଇନ୍ଧନ ଗ୍ୟାସ ଦର (ଭୁବନେଶ୍ୱର)
ମାର୍ଚ୍ଚ ୨୦୧୪ – ୪୧୦ ଟଙ୍କା
ମାର୍ଚ୍ଚ ୨୦୧୮ – ୬୭୭ ଟଙ୍କା
ମାର୍ଚ୍ଚ ୨୦୧୯ – ୭୩୦ ଟଙ୍କା
ମାର୍ଚ୍ଚ ୨୦୨୦ – ୮୩୯ ଟଙ୍କା
ମାର୍ଚ୍ଚ ୨୦୨୧ – ୮୪୫ ଟଙ୍କା
ମାର୍ଚ୍ଚ ୨୦୨୨ – ୯୨୬ ଟଙ୍କା
ଜୁଲାଇ ୨୦୨୨ – ୧୦୭୯ ଟଙ୍କା
ମାର୍ଚ୍ଚ ୨୦୨୩ – ୧୧୨୯ ଟଙ୍କା
ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼
ଗ୍ୟାସ ଦରବୃଦ୍ଧି ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି

୨୦୧୪ରେ ଦରଦାମ ବୃଦ୍ଧିଙ୍କୁ ପ୍ରସଙ୍ଗ କରି କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଥିବା ବେଳେ ଏବେ ଗ୍ୟାସ ଦରବୃଦ୍ଧିକୁ ନେଇ ରାଜ୍ୟ ବିଜେପି ନେତା କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ସୌମ୍ୟରଂଜନ କହିଛନ୍ତି, ୨୦୧୪ରେ ଗ୍ୟାସ ଦର ସିଲିଣ୍ଡର ପିଛା ୪୧୦ ଟଙ୍କା ଥିବା ବେଳେ ଏବେ ୧୧ଶହ ଟଙ୍କାରୁ ଅଧିକ ହୋଇଛି । ୮ ବର୍ଷ ମଧ୍ୟରେ ଗ୍ୟାସ ଦର ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି । ଏହା କିପରି ସାଧାରଣ ଲୋକଙ୍କ ହିତ ପାଇଁ ବୋଲି ପ୍ରଶ୍ନ କରିଛି ବିଜେଡି ।

ଏପଟେ ବିଜେପି କହିଛି, ଦର ବଢ଼ିବା ଓ କମିବା ଏକ ନିରନ୍ତର ପ୍ରକ୍ରିିୟା । ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ଯୋଗୁଁ ଏହାର ପ୍ରଭାବ ପଡିଛି । ରାଜନୈତିକ ଫାଇଦା ପାଇଁ ବିଜେଡି ଏହାକୁ ପ୍ରସଙ୍ଗ କରୁଛି ବୋଲି କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ।

ସେହିପରି ପିଡିଏସ୍ ଚାଉଳରେ କାଂଟଛାଂଟ କରିବାକୁ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ବିଜେଡି । ଜଣଙ୍କ ପିଛା ୧୦ କିଲୋ ଲେଖାଏଁ ଚାଉଳ ଦିଆଯାଉଥିଲା । ହେଲେ ଗତ ଜାନୁଆରୀରୁ ୧୦ କିଲୋ ବଦଳରେ ୫ କିଲୋ ଚାଉଳ ଦିଆଯାଉଛି । ଗରିବ ଲୋକଙ୍କ ବିକାଶ ପ୍ରଧାନମନ୍ତ୍ରୀ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ସୌମ୍ୟରଂଜନ ।