ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ନାମରେ ସାଂଘାତିକ ମାମଲା । ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ମୁସଲିମ୍ ମହିଳା ଭୋଟରଙ୍କ ବୁର୍ଖା ଖୋଲି ଯାଂଚ ଅଭିଯୋଗ

357

କନକ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଏନେଇ ଅନେକ ସ୍ଥାନରୁ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଆସୁଛି । ହେଲେ ହାଇଦ୍ରାବାଦରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ମାଧବୀଲତାଙ୍କ ନାମରେ କିଛି ମୁସଲିମ୍ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ମାଲକପେଟ ପୋଲିସ ଷ୍ଟେସନରେ ଏହି ଅଭିଯୋଗ ଭାରତୀୟ ଆଇନର ଧାରା ୧୭୧(ସି), ୧୮୬, ଓ ୫୦୫(୧)(ସି) କ୍ରମରେ ଲୋକପ୍ରତିନିଧିତ୍ୱ ଅଧିନିୟମର ଧାରା ୧୩୨ କ୍ରମରେ ମାମଲା ରୁଜୁ ହୋଇଛି । ମାଧବୀଲତାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏକ ମତଦାନ କେନ୍ଦ୍ରକୁ ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ମୁସଲିମ୍ ମହିଳାଙ୍କ ବୁର୍ଖା ଖୋଲି ସେମାନଙ୍କୁ ଯାଂଚ କରୁ୍ଥିବାର ଦେଖିବାକୁ ମିଳିଛି ।

 ଅଭିଯୋଗ ପରେ ମାଧବୀଲତା କହିଛନ୍ତି କି, ସେ ମୁସଲିମ୍ ମହିଳାମାନଙ୍କୁ ସେମାନଙ୍କ ପରିଚୟ ସ୍ପଷ୍ଟ କରିବାକୁ ଅନୁରୋଧ କରିଥିଲେ, ଏହା ଆଇନ ତ ଅପରାଧ ନୁହେଁ ବୋଲି ସେ କହିଛନ୍ତି । ମାଧବୀଲତା କହିଛନ୍ତି କି, ଜଣେ ପ୍ରାର୍ଥୀ ଭାବେ ବିନା ବୁର୍ଖାରେ ଜଣେ ମହିଳାଙ୍କ ପରିଚୟ ମାଗିବା କିଛି ଅପରାଧ ନୁହେଁ । ଏବଂ ମାଧବୀ ଜଣେ ମହିଳା ହୋଇଥିବାରୁ ଅନ୍ୟଜଣେ ମହିଳାଙ୍କୁ ମୁହଁ ଦେଖାଇବାକୁ କହିବା ଆଇନର ଉଲଙ୍ଘନ ନୁହେଁ ।

ଏହା ପୂର୍ବରୁ ମଧ୍ୟ ମାଧବୀଲତା ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ସେ ଅଭିଯୋଗ ଆଣିଥିଲେ କି ହାଇଦ୍ରାବାଦ ଆସନ ପାଇଁ ଯେଉଁ ଭୋଟର ତାଲିକା ପ୍ରକାଶ ପାଇଛି ତାହା ଠିକ୍ ନୁହେଁ । ଏଥିରେ ଜାଣିଶୁଣି ହେରଫେର କରାଯାଇଥିବା ସେ ଅଭିଯୋଗ କରିଥିଲେ ।