ତିନି ମାସ ଅପେକ୍ଷା ପରେ ଏଟିଏମରୁ ମିଳିବ ୨୦୦ ଟଙ୍କିଆ ନୋଟ୍ !
କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ନୂଆ ୨୦୦ ଟଙ୍କିଆ ପ୍ରଚଳନ କରାଯାଇଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ଏହା ସହଜରେ ପହଞ୍ଚି ପାରୁନାହିଁ । କାରଣ ଏହି ନୋଟ୍ ଏଟିଏମରେ ଉପଲବ୍ଧ ହେଉନାହିଁ । ଏଟିଏମ୍ରୁ ୨୦୦ ଟଙ୍କିଆ ନୋଟ୍ ବାହାରିବା ପାଇଁ ଆହୁରି ତିନି ମାସ ଅପେକ୍ଷା କରିବାକୁ ପଡ଼ିବ । ଏଟିଏମ୍ ଗୁଡ଼ିକୁ ଏହି ନୋଟ୍ ପାଇଁ ରିକାଲିବ୍ରେସନ୍ କରିବାକୁ ପଡ଼ିବ ଯାହା ଏକ ଜଟିଳ ବ୍ୟାପାର ।
Kanak News is now on WhatsApp
Join and get latest news updates delivered to you via WhatsApp
ବିମୁଦ୍ରାକରଣ ସମୟରେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ପାଇଁ ଏଟିଏମ୍ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ରିକାଲିବ୍ରେସନ୍ କରାଯାଇଥିଲା । ୨୦୦ ଟଙ୍କିଆ ପାଇଁ ପରୀକ୍ଷାମୂଳକ ଭାବେ ଏଟିଏମ୍ ଗୁଡ଼ିକୁ ରିକାଲିବ୍ରେସନ୍ କରିବାକୁ କେତେକ ବ୍ୟାଙ୍କ ପକ୍ଷରୁ ଏଟିଏମ୍ କଂପାନିଗୁଡ଼ିକୁ କୁହାଯାଇଛି । ମାତ୍ର ଏ ପର୍ଯ୍ୟନ୍ତ ଏଟିଏମ୍ ପରିଚାଳନା କରୁଥିବା କଂପାନିଗୁଡ଼ିକୁ ୨୦୦ ଟଙ୍କିଆ ଯୋଗାଣ ଆରମ୍ଭ କରାଯାଇନାହିଁ । ୨୦୦ ଟଙ୍କିଆ ନୋଟ୍ ପ୍ରଚଳନ କରିବା ଦିନ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଏହି ନୋଟ୍ର ଯୋଗାଣ ଖୁବଶୀଘ୍ର ବୃଦ୍ଧି କରାଯିବ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ସେଥିପାଇଁ ପ୍ରଦାନ କରାଯାଇନଥିଲା । ୨୦୦ ଟଙ୍କିଆ ପାଇଁ ଏଟିଏମ୍ ଗୁଡ଼ିକର ରିକାଲିବ୍ରେସନ୍ କରିବା ନିମନ୍ତେ ଏଟିଏମ୍ ନିର୍ମାଣ କରୁଥିବା କଂପାନି ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।
ଦେଶରେ ୬୦,୦୦୦ ଏଟିଏମ୍ ସ୍ଥାପନ କରିଥିବା କଂପାନି ‘ଏଜିଏସ୍ ଟ୍ରାଞ୍ଜାକ୍ଟ ଟେକ୍ନୋଲୋଜିସ୍’ର ସିଏମ୍ଡି ରବି ବି ଗୋୟଲ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ବିନା ୨୦୦ ଟଙ୍କିଆ ପାଇଁ ଏଟିଏମ୍ ଗୁଡ଼ିକର ରିକାଲିବ୍ରେସନ୍ କରାଯାଇପାରିବ ନାହିଁ । ସେ କହିଛନ୍ତି. ପ୍ରଥମେ ଆମ ପାଖରେ ୨୦୦ ଟଙ୍କିଆ ନୋଟ୍ ପହଞ୍ଚିବା ଦରକାର । ସେହି ନୋଟ୍ର ଆକାର ଅନୁଯାୟୀ ଆମେ ଏଟିଏମ୍ରେ ରଖାଯାଉଥିବା କ୍ୟାସେଟ୍ ପ୍ରସ୍ତୁତ କରିବୁ । ଏହା ପରେ ଏଟିଏମ୍କୁ ପରୀକ୍ଷା କରିବୁ । କ୍ୟାସେଟ୍କୁ ପୂର୍ଣ୍ଣ କ୍ଷମତାରେ ଉପଯୋଗ କରିବା ପାଇଁ ଆମକୁ ଆବଶ୍ୟକ ପରିମାଣର ନୋଟ୍ ମିଳିବା ଦରକାର ବୋଲି ସେ କହିଛନ୍ତି । ରିକାଲିବ୍ରେସନ୍ ପାଇଁ ୯୦ ଦିନ ସମୟ ଦରକାର । ଏଟିଏମ୍ର ରିକାଲିବ୍ରେସନ୍ ଚାଲିଥିବା ବେଳେ ମଧ୍ୟ ତାହା ଠିକ୍ ଭାବେ କାମ କରିବ । ଲୋକମାନେ ୧୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍ ଉଠାଇ ପାରିବେ ବୋଲି ସେ କହିଛନ୍ତି ।